36.1 C
Bhubaneswar
Sunday, April 12, 2026
Homeଓଡିଶା୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଟିଟିଲାଗଡ଼ରେ ପାରଦ ୩୯.୫ ଡିଗ୍ରୀ ଛୁଇଁଥିବାବେଳେ ବୌଦ୍ଧରେ ୩୯.୩, ପାରଳାଖେମୁଣ୍ଡିରେ ୩୯ ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବ। ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଆଦି କିଛି ଅଞ୍ଚଳ‌ରେ ପାରଦ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଅର୍ଥାତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷିବ।

କିନ୍ତୁ ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି। ଉପକୂଳର ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବାରୁ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଶନିବାର ଭୁବନେଶ୍ବରରେ ପାରଦ ୩୭.୭ ଡିଗ୍ରୀ ଥିବାବେଳେ କଟକରେ ୩୭, ଅନୁଗୋଳରେ ୩୭.୭, ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୮.୪, ହୀରାକୁଦରେ ୩୮.୮, ତାଳଚେର, ଭବାନୀପାଟଣା ଏବଂ ନୟାଗଡ଼ରେ ୩୮ ଡିଗ୍ରୀ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଗରମ ଏବଂ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରବିବାର ଭବାନୀପାଟଣା, ଟିଟିଲାଗଡ଼ ଏବଂ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହିତ ସୁନ୍ଦରଗଡ଼, ଝାରସୁୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡ଼ା ଜିଲାରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking