ନୂଆଦିଲ୍ଲୀ : ଦିଲ୍ଲୀରେ ଏମ୍ସିଡି ମେୟର୍ ଓ ଡେପୁଟି ମେୟର୍ ବିବାଦ ତେଜିବାରେ ଲାଗିଛି । ଶୁକ୍ରବାର ଭୀଷଣ ହଙ୍ଗାମା ଫଳରେ ଗୃହର କାର୍ଯ୍ୟ ସ୍ଥଗିତ ରହିବାରୁ ମେୟର ଓ ଡେପୁଟି ମେୟର୍ ନିର୍ବାଚନ ହୋଇପାରିନାହିଁ । ଏହାକୁ ନେଇ ଆମ୍ ଆଦ୍ମୀ ପାର୍ଟି ଓ ବିଜେପି ରାସ୍ତାକୁ ଓହ୍ଲାଇବା ସହିତ ପରସ୍ପର ବିରୋଧରେ ଧାରଣା ପ୍ରଦର୍ଶନ ଆରମ୍ଭ କରିଛନ୍ତି । ବିଧାୟକ ଆତିସୀଙ୍କ ନେତୃତ୍ୱରେ ଆପ୍ କର୍ମକର୍ତ୍ତା ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଅଫିସ୍ ବାହାରେ ଆନ୍ଦୋଳନ କରିଛନ୍ତି । ମନୋନୀତ ସଦସ୍ୟ ଭୋଟ୍ ଦେବେନାହିଁ ବୋଲି ବିଜେପି ଓ ଉପରାଜ୍ୟପାଳ ଲିଖିତ ଭାବେ ଷ୍ଟେଟ୍ମେଣ୍ଟ୍ ଦିଅନ୍ତୁ ବୋଲି ଆତିସୀ ଏହି ଅବସରରେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ରାମବୀର ସିଂହ ବିଧୁଡ଼ିଙ୍କ ନେତୃତ୍ୱରେ ବିଜେପିର ଶତାଧିକ କର୍ମୀ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ଧାରଣା ଦେଇଛନ୍ତି । ଆପ୍ କର୍ପୋରେଟର୍ମାନେ ମହିଳା ପ୍ରୋଟେମ୍ ସ୍ପିକର୍ଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ଉପରକୁ ଚୌକି ଫିଙ୍ଗିଥିବା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ବିଶୃଙ୍ଖଳି ଆପ୍ ନେତାମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଉପରାଜ୍ୟପାଳଙ୍କ ନିକଟରେ ଦାବି କରିଛି ।