ଭୁବନେଶ୍ୱର: ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରିଛନ୍ତି। ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ କରାଯିବ । ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଁ ଚୟନ ହୋଇଥିବା ୬ ହଜାର ୧୩୧ ଶିକ୍ଷକଙ୍କୁ ଆଜି ନିଯୁକ୍ତିପତ୍ର ଦିଆଯିବା ସହିତ ସେମାନଙ୍କର ଓରିଏଣ୍ଟେସେନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଲାଗି କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଛି ।
ଅପରାହ୍ଣ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ୫ଟାରେ ମୁଖ୍ୟମନ୍ତ୍ରୀ ଯୋଗଦେବ । ସେହିପରି ଅପରାହ୍ଣ ୧ଟା ସୁଦ୍ଧା ଶିକ୍ଷକମାନେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବେ । ସେମାନଙ୍କ ଯିବା ଆସିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତ ଶିକ୍ଷକ ଡ୍ରେସକୋର୍ଡ଼ରେ ଆସିବା ସହିତ ଷ୍ଟାଡିୟମରେ ପ୍ରବେଶ ପାଇଁ ସେମାନଙ୍କୁ ଅସ୍ଥାୟୀ ପରିଚୟ ପତ୍ର ପ୍ରଦାନ କରାଯାଇଛି । ତେବେ କଟକରେ ସର୍ବଧିକ ୪୩୮ଜଣ ଶିକ୍ଷକ ନିଯୁକ୍ତି ପାଇବାକୁ ଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରେ ୩୯୧, ମୟୂରଭଞ୍ଜ ୩୮୨, କେନ୍ଦୁଝର ୩୫୬ ଜଣ ଓ ଦେବଗଡ଼ରେ ସର୍ବନିମ୍ନ ୩୨ ଜଣ ଶିକ୍ଷକ ନିଯୁକ୍ତି ପାଇବେ ।
ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିବା ସହ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ବାଣ୍ଟିବେ । ଷ୍ଟାଡିୟମ୍କୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ୍, ଆଧାରକାର୍ଡ଼, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେବା ପାଇଁ ଅନୁମତି ଦିଆଯିବ । ବ୍ୟାଗ୍ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନି । ତେବେ ଷ୍ଟାଡିୟମ ମଧ୍ୟରେ ଭିଡ଼ ନକରିବା ଓ କରୋନା କଟକଣାର କଡ଼ା ଅନୁପାଳନ ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରାଯାଇଛି ।
୬୧୩୧ ଶିକ୍ଷକଙ୍କ ପ୍ରବେଶ, ପ୍ରସ୍ଥାନ ଓ ବସିବା ପାଇଁ ୩ଟି ଗ୍ୟାଲେରୀର ବନ୍ଦୋବସ୍ତ କରାଯାଇଛି । ୱେଷ୍ଟ ଷ୍ଟାଣ୍ଡ ଗ୍ୟାଲେରୀରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୋତ, ଗଞ୍ଜାମ, ସମ୍ବଲପୁର ଓ ମାଲକାନାଗିରେ ନିଯୁକ୍ତି ହୋଇଥିବା ଶିକ୍ଷକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଥିବାବେଳେ ସେମାନେ ୪ ନମ୍ବର ଗେଟ୍ ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ । ଜଗତସିଂହପୁର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ଯାଜପୁର, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ପାଇଁ ସାଉଥ୍ ଷ୍ଟାଣ୍ଡ ଗ୍ୟାଲେରୀ ବ୍ୟବସ୍ଥା ହୋଇଥିବାବେଳେ ସେମାନେ ୪ଏ ଓ ୫ ନମ୍ବର ଗେଟ୍ ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିବେ । ସେହିପରି ସାଉଥ ଷ୍ଟାଣ୍ଡ ଗ୍ୟାଲେରୀରେ ମଧ୍ୟ କଟକ, ସୋନପୁର, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ବୌଦ୍ଧ, ବରଗଡ଼, ନୂଆପଡ଼ା, ପୁରୀ, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲାରେ ନିଯୁକ୍ତ ହୋଇଥିବା ଶିକ୍ଷକ ବସିବେ । ସେମାନେ ୭ ଓ ୭ଏ ଗେଟ୍ ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ ।