କଶ୍ମୀର: କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ମାମଲା ଥମି ନ ଥିବା ବେଳେ ଏବେ ଜମ୍ମୁ-କଶ୍ମୀରରେ ଏକ ଛାତ୍ରୀ ସ୍କୁଲକୁ ତିଳକ ଲଗାଇ ଯାଇଥିବାରୁ ତାକୁ ନିର୍ଦ୍ଧୁମ୍ ପିଟିଛନ୍ତି ଶିକ୍ଷକ । ରାଜୌରୀ ଜିଲ୍ଲାର କୋଟରଣକା ଶିକ୍ଷା ଜୋନ୍ର ଖଦୁରିଆ ସରକାରୀ ମିଡିଲ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ରୀ ମଥାରେ ତିଳକ ଲଗାଇ ସ୍କୁଲ ଆସିଥିବାରୁ ଶିକ୍ଷକ ତାକୁ ଅତି ଅମାନୁଷିକ ଭାବେ ପିଟିଛନ୍ତି । ଛାତ୍ରୀଙ୍କ ବାପା ଅଂଗ୍ରେଜ ସିଂହ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଛାତ୍ରୀଙ୍କ ବାପା କହିଛନ୍ତି, ଏବେ ନବରାତ୍ର ଚାଲିଥିବାରୁ ତାଙ୍କ କୁନି ଝିଅ ତିଳକ ଲଗାଇ ସ୍କୁଲ ଯାଇଥିଲା । ଏଣୁ ଶିକ୍ଷକ ତାକୁ ଅତି କଦର୍ଯ୍ୟ ଭାବେ ପିଟିଛନ୍ତି ।
ଏହି ମାମଲା ପ୍ରଶାସନର ନଜରକୁ ଆସିବା ପରେ ଶିକ୍ଷକ ନିସାର ଅହମ୍ମଦଙ୍କୁ ତୁରନ୍ତ ସସ୍ପେଣ୍ଡ୍ କରାଯାଇଛି । ଏଥିସହ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ନିସାର ଗତ ସପ୍ତାହେ ହେଲାଣି ତାଙ୍କ ଝିଅକୁ ତିଳକ ଲଗାଇ ସ୍କୁଲ ଆସିବାକୁ ମନା କରୁଥିଲେ । କିନ୍ତୁ ପୂଜା ଚାଲିଥିବାରୁ ଝିଅ ତିଳକ ଲଗାଉଥିଲା । ଏଣୁ ତାକୁ ଏବେ ଅମାନୁଷିକ ଭାବେ ପିଟିଛନ୍ତି । ତେବେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଶିକ୍ଷକ ଜଣକ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ପୁଣିଥରେ ତିଳକ ଲଗାଇ ସ୍କୁଲ ଆସେ, ତେବେ ତାକୁ ସ୍କୁଲରୁ ବାହାର କରି ଦିଆଯିବ । ଏହି ଘଟଣା ପରେ ଛାତ୍ରୀଜଣକ ଡରି ଯାଇଛି ଓ ସ୍କୁଲ ଯିବାକୁ ମଙ୍ଗୁ ନଥିବା ଅଭିଭାବକ କହିଛନ୍ତି ।