26.1 C
Bhubaneswar
Sunday, November 24, 2024
Homeଖେଳତାମିମ୍‌ଙ୍କ ୟୁ-ଟର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଲେ

ତାମିମ୍‌ଙ୍କ ୟୁ-ଟର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଲେ

ଢାକା: ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ତାମିମ୍ ଇକ୍‌ବାଲ୍ ଗୁରୁବାର ଅଚାନକ ଅନ୍ତର୍ଜାତୀୟ କ୍ୟାରିଅର୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍ ଖେଳି ନ ଥିଲେ ମଧ୍ୟ ଦିନିକିଆ ସିରିଜ୍‌କୁ ଫେରିଥିଲେ । କିନ୍ତୁ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳିବା ପରେ ସେ ଚଟ୍ଟୋଗ୍ରାମ୍‌ଠାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଅବସର ଘୋଷଣା କରିବା ସମୟରେ ବେଶ୍ ଭାବପ୍ରବଣ ହୋଇପଡ଼ିଥିଲେ ଓ ନିଜର କୋହ ସମ୍ବରଣ କରିପାରି ନ ଥିଲେ । ତେବେ ଏହି ନିଷ୍ପତ୍ତି ନେବାର ୨୪ ଘଣ୍ଟା ନ ପୂରୁଣୁ ଏହି ତାରକା ବ୍ୟାଟ୍ସମ୍ୟାନ୍ ଜଣକ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଛନ୍ତି । ଶୁକ୍ରବାର ସେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ସହ ଆଲୋଚନା କରିବା ପରେ ତାଙ୍କ ପରାମର୍ଶ କ୍ରମେ ଅବସର ସଂକ୍ରାନ୍ତ ନିଷ୍ପତ୍ତି ବଦଳାଇଥିବା ତାମିମ୍ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ତାମିମ୍ କହିଛନ୍ତି ଯେ ସେ ସମସ୍ତଙ୍କୁ ନା’ କରିପାରନ୍ତି । କିନ୍ତୁ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ କଦାପି ନା’ କହିପାରିବେ ନାହିଁ ।

ତା’ଛଡ଼ା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ନଜମୁଲ୍ ହସନ୍ ଓ ପୂର୍ବତନ ଅଧିନାୟକ ମଶରଫି ମୋର୍ତାଜା ମଧ୍ୟ ତାଙ୍କ ସହ ଆଲୋଚନା କରିବା ଏପରି ନିଷ୍ପତ୍ତିର ଅନ୍ୟତମ ପ୍ରମୁଖ କାରଣ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଫିଟ୍‌ନେସ୍ ଓ ଚିକିତ୍ସା ପାଇଁ ତାଙ୍କୁ ଦେଢ଼ ମାସ ବିଶ୍ରାମ ପାଇଁ ଅନୁମତି ମିଳିଛି । ଏହାପରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ କ୍ରିକେଟ୍‌ରେ ସକ୍ରିୟ ହେବେ ବୋଲି ତାମିମ୍ କହିଛନ୍ତି । ଗୁରୁବାର ତାମିମ୍‌ଙ୍କ ଅଚାନକ ଘୋଷଣା ପରେ ବିସିବି ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଆହ୍ୱାନ କରାଯାଇଛି । ଉକ୍ତ ବୈଠକରେ ଦିନିକିଆ ଦଳର ଉପଅଧିନାୟକ ଥିବା ଲିଟ୍ଟନ୍ ଦାସଙ୍କୁ ଚଳିତ ଆଫଗାନିସ୍ତାନ ବିପକ୍ଷ ଅବଶିଷ୍ଟ ଦୁଇଟି ଦିନିକିଆ ପାଇଁ ଅନ୍ତରୀଣ ଅଧିନାୟକ ଭାବେ ଘୋଷଣା କରାଯାଇଥିଲା ।

ତା’ଛଡ଼ା ନଜମୁଲ୍ ମଧ୍ୟ ବିଳମ୍ବିତ ରାତିରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସହ ତାମିମ୍‌ଙ୍କୁ ତରବରିଆ ଓ ଭାବପ୍ରବଣତାରେ ନେଇଥିବା ଅବସର ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ । ଶୁକ୍ରବାର ତାମିମ୍ ତାଙ୍କର ନିଷ୍ପତ୍ତି ବଦଳାଇବା ପରେ ନଜମୁଲ୍ ବେଶ୍ ଆଶ୍ୱସ୍ତ ହେବା ସହ ବିନା ଅଧିନାୟକରେ ଦଳ ଖେଳିବା ସମ୍ଭବପର ନୁହେଁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ତାମିମ୍‌ଙ୍କ ଆଲୋଚନା ସମୟରେ ତାଙ୍କ ପତ୍ନୀଙ୍କ ବ୍ୟତୀତ ମୋର୍ତାଜା ଓ ନଜମୁଲ୍ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking