26.1 C
Bhubaneswar
Saturday, October 19, 2024
Homeଓଡିଶାଅକ୍ଟୋବର ସୁଦ୍ଧା ଆରମ୍ଭ ହେବ ତାଳଚେର ମେଡିକାଲ କଲେଜ

ଅକ୍ଟୋବର ସୁଦ୍ଧା ଆରମ୍ଭ ହେବ ତାଳଚେର ମେଡିକାଲ କଲେଜ

ଭୁବନେଶ୍ୱର:ତାଳଚେରର ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାପାଇଁ ବିଭିନ୍ନ ମହଲରୁ ଚାପ ପଡିବାପରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ମହାନଦୀ କୋଲ ଫିଲ୍ଡ ଲିମିଟେଡ ତତ୍ପରତା ପ୍ରକାଶ କରୁଛନ୍ତି । ଏଠାରେ ୫୦୦ ଶଯ୍ୟାର ଡାକ୍ତରଖାନା ପ୍ରତିଷ୍ଠା ଲାଗି ମୂଳରୁ ଯୋଜନା ଥିବାବେଳେ ଏବେ ୩୩୦ ଶଯ୍ୟାର ଡାକ୍ତରଖାନା କରିବାଲାଗି ପ୍ରସ୍ତାବ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଏହି ମେଡିକାଲ କଲେଜ ସୌଧ ନିକଟରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ନେହେରୁ ଶତାବ୍ଦୀ ହସ୍ପିଟାଲକୁ ନୂଆ ମେଡିକାଲ କଲେଜର ଅଂଶ ବିଶେଷ କରାଯିବ । ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗର ସଚିବ ସାଲିନ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଅକ୍ଟୋବର ସୁଦ୍ଧା ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଇବାଲାଗି ପ୍ରସ୍ତାବ ରହିଛି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଏବଂ ବୈଠକର ନିଷ୍ପତ୍ତି ମୁତାବକ ଦୁଇ ସପ୍ତାହ ମଧ୍ୟରେ ଏହି କମିଟି ଏ ପ୍ରସଙ୍ଗରେ ତାଙ୍କର ରିପୋର୍ଟ ପ୍ରଦାନ କରିବେ ।

ହସ୍ପିଟାଲ ପାଇଁ କ’ଣ ସବୁ ସରଞ୍ଜାମ ରହିଛି ଏବଂ ଆଉ କ’ଣ ସରଞ୍ଜାମ ଆବଶ୍ୟକ ପଡିବ ଏବଂ କେଉଁ ସଂସ୍ଥାଠାରୁ ଏହି ସରଞ୍ଜାମ ଅଣାଯିବ ସେ ସମ୍ପର୍କରେ କମିଟି ସୁପାରିଶ୍ କରିବ । ଏହାବ୍ୟତୀତ ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଲାଗି କେତେ ଡାକ୍ତର, ପାରାମେଡିକାଲ କର୍ମଚାରୀ, ବିଶେଷଜ୍ଞ ଓ ଅନ୍ୟ କର୍ମଚାରୀ ଆବଶ୍ୟକ ପଡିବେ ସେ ସଂକ୍ରାନ୍ତରେ ଏହି କମିଟି ସମସ୍ତ ତଥ୍ୟ ପ୍ରଦାନ କରିବେ । ଏହି ଡାକ୍ତରଖାନା ପାଇଁ ଆବଶ୍ୟକୀ ସଂଖ୍ୟକ ଡାକ୍ତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଭିନ୍ନ ସ୍ଥାନରୁ ଆଣି ଆସନ୍ତା ମେ’ ମାସ ଶେଷ ସୁଦ୍ଧା ମୁତୟନ କରିବେ । ମହାନଦୀ କୋଲ ଫିଲ୍ଡ ବିଶେଷଜ୍ଞ ଡାକ୍ତରମାନଙ୍କ ପାଇଁ ପାଣ୍ଠି ଯୋଗାଇଦେବ । ପାରା ମେଡିକାଲ କର୍ମଚାରୀ ଯୋଗାଣ ଦାୟିତ୍ୱ ଏମ୍‌ସିଏଲ୍ ଉପରେ ନ୍ୟସ୍ତ କରାଯାଇଛି । ଏହାଛଡା ଏହି ଡାକ୍ତରଖାନାର ରକ୍ଷଣା ବେକ୍ଷଣ, ସୁରକ୍ଷା, ସଫେଇ, ମରାମତି ଆଦିର ଦାୟିତ୍ୱ ମଧ୍ୟ ଏମ୍‌ସିଏଲ୍ ଉପରେ ରହିବ ବୋଲି ଜଣାପଡିଛି ।

ନୂଆ ଡାକ୍ତରଖାନାର ଅଫିସ ପରିଚାଳନା ପାଇଁ ଅନୁଗୁଳ ଜିଲ୍ଲାପାଳ କର୍ମଚାରୀ ଯୋଗାଇବେ । ଆଗାମୀ ଜୁନ୍ ଶେଷ ସୁଦ୍ଧା ଏହି ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାଲାଗି ବିଭିନ୍ନ ସଂସ୍ଥାରୁ ଯେଉଁ ମଞ୍ଜୁରୀ ଆବଶ୍ୟକ ତାହାର ତଦାରଖ ମଧ୍ୟ ଅନୁଗୁଳ ଜିଲ୍ଲାପାଳ କରିବେ । ଏହି ଡାକ୍ତରଖାନାର ରୋଗୀମାନଙ୍କ ପାଇଁ ନିରାମୟ ଓ ନିଦାନ ପ୍ରଭୃତି ଯୋଜନାରେ ମିଳୁଥିବା ସୁବିଧା ଯୋଗାଇ ଦିଆଯିବ ।
ଏମ୍‌ସିଏଲର ନେହେରୁ ଶତାବ୍ଦୀ ହସ୍ପିଟାଲ କୋଠାରେ ଡାକ୍ତରଖାନାର ବର୍ହି ବିଭାଗ ଓ ନିଦାନ ବିଭାଗ କାର୍ଯ୍ୟ କରିବ ଏବଂ ମିମ୍‌ସାର ପାଇଁ ନିର୍ମିତ ସୌଧରେ ରୋଗୀମାନଙ୍କ ଶଯ୍ୟା ରହିବ । ଏହି ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରିବାଲାଗି ଏମ୍‌ସିଏଲ୍ ୩୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଥମ ପର୍ଯ୍ୟାୟରେ ଯୋଗାଇଦେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking