ନୂଆଦିଲ୍ଲୀ: ଆସନ୍ତା ୯ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟି-୨୦ ସିରିଜ୍ ସକାଶେ ଏଠାରେ ପହଞ୍ଚିବାର ଦିନକ ପରେ ଭ୍ରମଣକାରୀ ସାଉଥ୍ ଆଫ୍ରିକା ଦଳର ଖେଳାଳିମାନେ ଶୁକ୍ରବାର ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସର ପ୍ରଥମ ଦିନରେ ଅଧିକାଂଶ ଖେଳାଳି ଜିମ୍ରେ ସମୟ କଟାଇଥିବା ବେଳେ ସ୍ପିନର୍ମାନେ କଡ଼ା ଅଭ୍ୟାସ କରିଛନ୍ତି । ଦଳରେ ସ୍ଥାନ ପାଇଥିବା ଦୁଇ ପ୍ରମୁଖ ସ୍ପିନର୍ କେଶବ ମହାରାଜ ଓ ତବରେଜ୍ ଶମ୍ସୀ ନେଟ୍ସରେ ବୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ପୂର୍ବତନ ଅଧିନାୟକ ତଥା ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ନଜର ରଖିଥିବା ଦେଖିବାକୁ ମିଳିଥିଲା । ପରେ ଉକ୍ତ ଦୁଇ ସ୍ପିନର୍ଙ୍କ ସହ କାମଚଳା ଅଫ୍ସ୍ପିନର୍ ଆଇଡେନ୍ ମାର୍କରାମ୍ ମଧ୍ୟ ଯୋଗ ଦେଇଥିଲେ ।
ଏହି ତିନି ସ୍ପିନର୍ଙ୍କ ସହ ଗତ ଆଇପିଏଲ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଖେଳିଥିବା ଅଲ୍ରାଉଣ୍ଡର୍ ଡ୍ୱେନ୍ ପ୍ରିଟୋରିଅସ୍ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ସ୍ପିନର୍ଙ୍କ ବ୍ୟତୀତ ଦଳକୁ ଦୀର୍ଘ ୫ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବାମହାତୀ ପେସର୍ ୱେନ୍ ପାର୍ନେଲ୍ ଯଥେଷ୍ଟ ସମୟ ଅଭ୍ୟାସ କରିଥିଲେ । ତାଙ୍କ ବଲ୍ର ସମ୍ମୁଖୀନ ହୋଇ ରାସି ଭାନ୍ ଡର୍ ଡୁସେନ୍ ବେଶ୍ ପ୍ରଭାବୀ ବ୍ୟାଟିଂ କରିଥିବା ଦେଖିôବାକୁ ମିଳିଛି । ଦଳର ମୁଖ୍ୟ କୋଚ୍ ମାର୍କ ବାଉଚର୍ ଯୁବ ପେସର୍ ମାର୍କୋ ଜାନ୍ସନ୍ଙ୍କୁ ବ୍ୟାଟିଂ ଟିପ୍ସ ଦେଇଥିଲେ । ଆହୁରି ଡି’କକ୍ ମଧ୍ୟ କିଛି ସମୟ ପାଇଁ ପେସର୍ଙ୍କ ଉପଯୁକ୍ତ ମୁକାବିଲା କରିଥିଲେ ।
ଦଳର ତାରକା ଖେଳାଳି ତଥା ଗତ ଆଇପିଏଲ୍ରେ ଚାମ୍ପିଅନ୍ ହୋଇଥିବା ଡେବ୍ୟୁଟାଣ୍ଟ୍ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳିଥିବା ଡେଭିଡ୍ ମିଲର୍ ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି । ତେବେ ସେ ଖୁବଶୀଘ୍ର ଏଠାରେ ଦଳୀୟ ସାଥୀମାନଙ୍କ ସହ ଯୋଗଦେବେ ବୋଲି ଟିମ୍ ମ୍ୟାନେଜ୍ମେଣ୍ଟ୍ ପକ୍ଷରୁ କୁହାଯାଇଛି । ପଡ଼ିଆରେ ଅଭ୍ୟାସ କରିବା ବ୍ୟତୀତ ମାର୍କରାମ୍ ଜିମ୍ରେ ବ୍ୟାୟାମ କରୁଥିବା ସମୟର ଫଟୋ କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍ଏ) ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଅପଲୋଡ୍ କରାଯାଇଛି । ତାଙ୍କ ସହ ଜାନ୍ସନ୍ ଓ ତାଙ୍କର ଆଉ କେତେକ ଦଳୀୟ ସାଥୀ ମଧ୍ୟ ଥିବା ସମୟର ଫଟୋ ରହିଛି । ଅନ୍ୟପକ୍ଷରେ ସିରିଜ୍ଟି ବାୟୋ ବବଲ୍ ପରିବେଶରେ ଖେଳାନଯିବା ସକାଶେ ନିଷ୍ପତ୍ତି ହୋଇଥିଲେ ହେଁ ନିୟମିତ ବ୍ୟବଧାନରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ କୋଭିଡ୍ ଟେଷ୍ଟ୍ କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିବା ବେଳେ ଏଠାରେ ପହଞ୍ଚିବା ପରେ ସମସ୍ତ ବିଦେଶୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ପ୍ରଥମ କୋଭିଡ୍ ନମୁନା ନେଗେଟିଭ୍ ରହିଥିବା କୁହାଯାଇଛି ।