ଦୁବାଇ: ଚଳିତ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକ ସତ୍ତ୍ୱେ ଭାରତୀୟ କ୍ୟାପ୍ଟେନ୍ ବିରାଟ କୋହଲି (୭୨୫) ବୁଧବାର ପ୍ରକାଶିତ ଆଇସିସି ଟି-୨୦ ର୍ୟାଙ୍କିଙ୍ଗ୍ରେ ଗୋଟିଏ ସ୍ଥାନ ତଳକୁ ଖସି ୫ମରେ ପହଞ୍ଚିଛନ୍ତି । ସେହିପରି ତାଙ୍କ ସାଥୀ ଖେଳାଳି କେଏଲ୍ ରାହୁଲ (୬୮୪) ଦୁଇଟି ସ୍ଥାନର କ୍ଷତି ସହ ୮ନଂକୁ ଖସି ଆସିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନର ଓପ୍ନର୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜ୍ୱାନ୍ ୩ଟି ସ୍ଥାନର ଉନ୍ନତି ସହ କ୍ୟାରିୟର୍ ସର୍ବଶ୍ରେଷ୍ଠ ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯଥାକ୍ରମେ ୪୦ ଏବଂ ଅପରାଜିତ ୫୧ ରନ୍ କରିଥିବା ସାଉଥ୍ ଆଫ୍ରିକାର ଆଇଦେନ୍ ମାର୍କରମ୍ଙ୍କୁ ୮ଟି ସ୍ଥାନର ଲାଭ ମିଳିଛି ଏବଂ ସେ କ୍ୟାରିୟର୍ ସର୍ବଶ୍ରେଷ୍ଠ ୩ୟରେ ପହଞ୍ଚିଛନ୍ତି । ଇଂଲଣ୍ଡର ଡେଭିଡ୍ ମାଲାନ୍ (୮୩୧) ଏବଂ ପାକିସ୍ତାନ କ୍ୟାପ୍ଟେନ୍ ବାବର ଆଜମ୍ (୮୨୦) ବ୍ୟାଟିଂ ତାଲିକାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସ୍କଟ୍ଲାଣ୍ଡ ବିପକ୍ଷରେ ୪୬ ରନ୍ କରିଥିବା ଆଫଗାନିସ୍ତାନର ରହମନୁଲ୍ଲାହ ଗୁରବାଜ୍ ୯ ସ୍ଥାନର ଉନ୍ନତି ସହ କ୍ୟାରିୟର୍ ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗ୍ ୧୨ରେ ପହଞ୍ଚିଛନ୍ତି ।
ସେହିପରି ଶ୍ରୀଲଙ୍କା ବିପକ୍ଷରେ ୫୨ ରନ୍ କରିଥିବା ଆଫଗାନିସ୍ତାନ ଓପ୍ନର୍ ମହମ୍ମଦ ନଇମ୍ ୧୧ ସ୍ଥାନର ଉନ୍ନତି ସହ କ୍ୟାରିୟର୍ ସର୍ବଶ୍ରେଷ୍ଠ ୧୩ ନଂରେ ପହଞ୍ଚିଛନ୍ତି । ଟିମ୍କୁ ସୁପର ୧୨ରେ ପହଞ୍ଚାଇଥିବା ନାମ୍ବିୟା କ୍ୟାପ୍ଟେନ୍ ଗେରହାର୍ଡ ଇରାସ୍ମସ୍ ୩୭ତମ ସ୍ଥାନକୁ ଉଠିଛନ୍ତି । ବୋଲିଂ ର୍ୟାଙ୍କିଙ୍ଗ୍ର ଶୀର୍ଷ ୯ଟି ସ୍ଥାନରେ କେବଳ ସ୍ପିନର୍ମାନେ ରହିଛନ୍ତି । ବାଂଲାଦେଶ ସ୍ପିନର୍ ମେହଦୀ ହସନ୍ ୯ଟି ସ୍ଥାନର ଲାଭ ସହ କ୍ୟାରିୟର୍ ସର୍ବଶ୍ରେଷ୍ଠ ୧୨ତମ ସ୍ଥାନରେ ପହଞ୍ଚିଛନ୍ତି । ଭାରତ ବିପକ୍ଷ ସ୍ମରଣୀୟ ବିଜୟରେ ଚମକିଥିବା ପାକିସ୍ତାନ ଫାଷ୍ଟ ବୋଲର୍ ଶାହୀନ୍ ଆଫ୍ରିଦି ୧୧ ସ୍ଥାନର ଲାଭ ସହ ତାଙ୍କ କ୍ୟାରିୟର୍ ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗ୍ର ଦୁଇଟି ସ୍ଥାନ ପଛରେ ନଂ୧୨ରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ୨୨ ରନ୍ ଦେଇ ୪ ୱିକେଟ୍ ନେଇଥିବା ପାକିସ୍ତାନର ହାରିସ୍ ରଉଫ୍ ୩୪ଟି ସ୍ଥାନ ଉପରକୁ ଉଠି ୧୭ମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ବାଂଲାଦେଶ ଷ୍ଟାର୍ ସାକିବ୍ ଅଲ୍ ହସନ୍ ଅଲ୍ରାଉଣ୍ଡର୍ ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।