ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ବିରୋଧୀ ଦଳର ୨୩ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇସାରିଛି । ଏମାନଙ୍କ ମଧ୍ୟରେ ଲୋକସଭାର ୪ ଓ ରାଜ୍ୟସଭାର ୧୯ ସାଂସଦ ଅନ୍ତର୍ଭୁକ୍ତ । ତେବେ ନିଲମ୍ବନ ଆଦେଶ ପ୍ରତିବାଦରେ ଏହି ସାଂସଦଭାବେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବୁଧବାରଠାରୁ ସେମାନଙ୍କର ୫୦ ଘଣ୍ଟିଆ ରିଲେ ବିକ୍ଷୋଭ ଆରମ୍ଭ ହୋଇଛି । ତମ୍ଭୁ ଯୋଗାଇଦେବାକୁ ଏହି ସାଂସଦମାନେ ଅନୁରୋଧ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିନାହିଁ । ତେବେ ନିତ୍ୟକର୍ମ ପାଇଁ ସଂସଦ ପରିସରରେ ଥିବା ଶୌଚାଳୟ ବ୍ୟବହାର କରିବାକୁ ଏମାନଙ୍କୁ ଅନୁମତି ଦିଆଯାଇଛି । ବୁଧବାର ଏହି ସାଂସଦମାନେ ଖୋଲା ଆକାଶ ତଳେ ପ୍ରଥମ ରାତି କଟାଇଛନ୍ତି । ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓବ୍ରାଏନ୍ ସାଥୀ ସାଂସଦଙ୍କ ଏଭଳି ଅବସ୍ଥାର ଫଟୋକୁ ସୋସିଆଲ ମିଡିଆରେ ଅପ୍ଲୋଡ୍ କରିଛନ୍ତି । ଏମାନଙ୍କ ପାଇଁ ଦଳ ପକ୍ଷରୁ ସକାଳୁ ରାତି ପର୍ଯ୍ୟନ୍ତ ଖାଦ୍ୟଭାବେ ଇଡ୍ଲି-ସମ୍ବର, ଚିକେନ ତନ୍ଦୁରୀ, ଗାଜର ହାଲୱା, ରୋଟି, ଡାଲି, ପନିର ତରକାରୀ ଓ ଫଳମୂଳ ବ୍ୟବସ୍ଥା କରାଯାଇଛି । ବୁଧବାର ଓ ଗୁରୁବାର ଦୁଇଦିନ ଡିଏମକେ ପକ୍ଷରୁ ପ୍ରାତଃ ଜଳଖିଆ,ଟିଆରଏସ୍ ପକ୍ଷରୁ ମଧ୍ୟାହ୍ନ ଭୋଜନ ଏବଂ ଆପ୍ ପକ୍ଷରୁ ରାତ୍ରୀଭୋଜନର ଦାୟିତ୍ୱ ନିଆଯାଇଛି ।