ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ଆଇନ୍-୨୦୦୪ ସମ୍ପର୍କୀତ ଏକ ମାମଲା ଉପରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ରାୟ ଉପରେ ଆଜି ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଏଥିସହ ରାଜ୍ୟରେ ଥିବା ପ୍ରାୟ ୨୫ ହଜାର ମଦ୍ରାସାରେ ପାଠ ପଢ଼ୁଥିବା ୧୭ଲକ୍ଷ ଛାତ୍ରଛାତ୍ରୀ ଏବଂ ୧୦ହଜାର ମଦ୍ରାସା ଶିକ୍ଷକଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।
ପ୍ରକାଶ, ମଦ୍ରାସା ଆଇନ୍ ଅନ୍ତର୍ଗତ ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ, ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ଆଇନ୍-୨୦୦୪କୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଫଳରେ ରାଜ୍ୟରେ ଥିବା ମଦ୍ରାସାଗୁଡ଼ିକ ଉପରେ ବିପଦ ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଏସବୁ ମଦ୍ରାସାଗୁଡ଼ିକୁ ଭଙ୍ଗାଯିବା ନେଇ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲେ । ତେବେ ମଦ୍ରାସା ବୋର୍ଡ, ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ସେତେବେଳେ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଥିବା ବେଳେ ଶୁକ୍ରବାର ଏହା ଉପରେ ଶୁଣାଣି କରିଛନ୍ତି । ନିଜ ରାୟରେ ସୁପ୍ରିମକୋର୍ଟ ପ୍ରଥମତଃ ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟ ଉଚିତ୍ ନଥିବା ଦର୍ଶାଇଥିଲେ । ପରେ ଆବେଦନକାରୀ ମଦ୍ରାସା ବୋର୍ଡ, ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଆସନ୍ତା ଜୁନ୍ ୩୦ ସୁଦ୍ଧା ଏହି ମାମଲାରେ ନିଜ ପକ୍ଷ ଲିଖିତ ଆକାରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ ସୁପ୍ରିମକୋର୍ଟ, ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ମଦ୍ରାସାରେ ଅଧ୍ୟୟନ କରୁଥିବା ୧୭ଲକ୍ଷ ଛାତ୍ରଛାତ୍ରୀ ଏବଂ ଶିକ୍ଷାଦାନ କରୁଥିବା ୧୦,୦୦୦ ଶିକ୍ଷକଙ୍କୁ ତୁରନ୍ତ ବ୍ୟବସ୍ଥିତ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ମାସରେ ଆହ୍ଲାବାଦ୍ ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ଏକ ପିଟିସନ୍ ଉପରେ ଶୁଣାଣି କରି ଉତ୍ତରପ୍ରଦେଶ ବୋର୍ଡ ଅଫ୍ ମଦ୍ରାସା ଶିକ୍ଷା ଆଇନ୍, ୨୦୦୪କୁ ଧର୍ମ ନିରପେକ୍ଷତାର ନୀତି ଉଲ୍ଲଂଘନ ବୋଲି କହିଥିଲେ । ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଛାତ୍ରମାନଙ୍କୁ ଆନୁଷ୍ଠାନିକ ବିଦ୍ୟାଳୟ ବ୍ୟବସ୍ଥାରେ ସ୍ଥାନିତ କରିବାକୁ କହିଥିଲେ । ତେବେ ଏବେ ସୁପ୍ରିମକୋର୍ଟ ଏହି ରାୟ ଉପରେ ରହିତାଦେଶ ଲାଗୁ କରିବା ପରେ ଏବେ ମଦ୍ରାସାଗୁଡ଼ିକରେ ପାଠପଢ଼ା ପୂର୍ବବତ୍ ଜାରି ରହିବ ବୋଲି ସ୍ପଷ୍ଟ ହୋଇଛି । ମଦ୍ରାସା ବୋଡ୍ର୍ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଅଭିଷେକ ମନୁ ସିଂଘଭୀ ମାମଲା ପରିଚାଳନା କରିଥିଲେ । ପ୍ରକାଶ, ଉତ୍ତରପ୍ରଦେଶରେ ପ୍ରାୟ ୨୫୦୦୦ ମଦ୍ରାସା ଅଛି । ସେଥିମଧ୍ୟରୁ ପ୍ରାୟ ୧୬୦୦୦ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ।