ନୂଆଦିଲ୍ଲୀ: ବିଲ୍କିସ୍ ବାନୋ ଗଣଦୁଷ୍କର୍ମ ଘଟଣାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଦୋଷୀଙ୍କୁ ଖଲାସ କରାଯାଇଥିବା ମାମଲାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନରେ ପରିବର୍ତ୍ତନ କରାଯାଇଥିବାବେଳେ ସେମାନଙ୍କୁ କିପରି ଖଲାସ କରାଗଲା ବୋଲି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଶୁଣାଣି ସମୟରେ ପ୍ରଶ୍ନ କରିଛନ୍ତି ଯେ ୧୪ ବର୍ଷ ଜେଲ୍ଦଣ୍ଡ ଭୋଗିବାପରେ ଦୋଷୀମାନେ ସୁଧୁରି ଯାଇଥିବାର ପ୍ରମାଣ ରାଜ୍ୟ ସରକାର କିପରି ଯୋଗାଡ କଲେ । ଯଦି ଏହି ଫର୍ମୁଲା ବିଲ୍କିସ୍ ବାନୋ ଦୋଷୀଙ୍କ କ୍ଷେତ୍ରରେ ଲାଗୁ କରାଗଲା, ତାହାହେଲେ ସେହି ଫର୍ମୁଲା ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଅନ୍ୟ କଏଦୀଙ୍କ କ୍ଷେତ୍ରରେ କାହିଁକି ଲାଗୁ କରାଯାଉନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ ଉତ୍ଥାପନ କରିଛନ୍ତି ।
ଯଦି ସମସ୍ତଙ୍କୁ ଏକପ୍ରକାର ନ୍ୟାୟ ମିଳୁଥାନ୍ତା, ତେବେ ଭାରତୀୟ ଜେଲ୍ଗୁଡିକରେ କଏଦୀଙ୍କ ସଂଖ୍ୟ।। ଏତେମାତ୍ରାରେ ବଢୁନଥାନ୍ତା ବୋଲି ଖଣ୍ଡପୀଠ କହିଛନ୍ତି । ପୁନଶ୍ଚ କେଉଁ ଆଧାରରେ ଜେଲ୍ ଆଡ୍ଭାଇଜରି କମିଟି ବିଲକିସ୍ ବଳାତ୍କାରୀଙ୍କୁ ଖଲାସ କରିବାକୁ ପ୍ରସ୍ତାବ ଦେଲା, ତାହାର ତଥ୍ୟ ଉପସ୍ଥାପନ କରିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୋଧ୍ରା କୋର୍ଟରେ ମାମଲାର ଶୁଣାଣି ହୋଇନଥିବାବେଳେ କାହିଁକି ଏହି କୋର୍ଟଙ୍କ ମତାମତ ଲୋଡାଯାଇଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଗୁଜରାଟ ସରକାରଙ୍କ ତରଫରୁ ମାମଲା ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁ ଖଣ୍ଡପୀଠକୁ ଜଣାଇଥିଲେ ଯେ ଏହି ସବୁ ପ୍ରଶ୍ନର ଏକକାଳୀନ ଉତ୍ତର ଦେବା ସମ୍ଭବ ନୁହେଁ । ଏ ସଂକ୍ରାନ୍ତ ଅନ୍ୟ ଏକ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ସେହି ମାମଲାର ରାୟ ପ୍ରକାଶ ପାଇଲେ, ସବୁ ତଥ୍ୟ ସାମନାକୁ ଆସିବ ବୋଲି ରାଜୁ କହିଛନ୍ତି ।
୨୦୦୮ରେ ଦୋଷୀସାବ୍ୟସ୍ତ ହୋଇଥିବା ଏହି ଅପରାଧିଙ୍କ ପାଇଁ ୧୯୯୨ ମସିହାର ଆଇନକୁ କିଭଳି କାର୍ଯ୍ୟକାରୀ କରାଗଲା, ସେଥିନେଇ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବିଜେପିର ସମର୍ଥକ କୁହାଯାଉଥିବା ଲୋକଙ୍କ ପରାମର୍ଶକ୍ରମେ ଏହି ବଳାତ୍କାରୀଙ୍କୁ ଖଲାସ କରାଯାଇଥିବା ଖଣ୍ଡପୀଠ କହିଛନ୍ତି । ଅପରପକ୍ଷରେ ବିଲ୍କିସ୍ଙ୍କ ଓକିଲ ଶୋଭା ଗୁପ୍ତା କହିଛନ୍ତି ଯେ ଯେଉଁ ନୀତି ଅବଲମ୍ବନ କରି ଗୁଜରାଟ ସରକାର ଦୋଷୀଙ୍କୁ ଖଲାସ କରିଛନ୍ତି, ତାହା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ବିଲ୍କିସ୍ ମାମଲାର ଶୁଣାଣି ମହାରାଷ୍ଟ୍ରରେ ହୋଇଥିବାବେଳେ ମହାରାଷ୍ଟ୍ର ସରକାର କିମ୍ବା କେନ୍ଦ୍ର ସରକାରଙ୍କୁ କାହିଁକି ପକ୍ଷଭୁକ୍ତ କରାଗଲା ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଅବଶ୍ୟ ରାଧେଶ୍ୟାମ ଶାହା ନାମକ ଜଣେ ଦୋଷୀଙ୍କ ଆବେଦନର ବିଚାର କରି ତାଙ୍କୁ ଖଲାସ କରିବାକୁ ସୁପ୍ରିମକୋର୍ଟ ସେତେବେଳେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗୁଜରାଟ ସରକାର ଏହାକୁ ଆଳକରି ୨୦୨୨ ଅଗଷ୍ଟ ୧୫ରେ ସମସ୍ତ ୧୧ ଦୋଷୀଙ୍କୁ ଖଲାସ କରିଥିଲେ । ୧୧ ଦୋଷୀ ଖଲାସ ହେବାପରେ ବିଲ୍କିସ୍ଙ୍କ ସମେତ ଅନ୍ୟ ମହିଳା ସଂଗଠନ ସୁପ୍ରିମକୋର୍ଟରେ ପୃଥକ ପିଟିସନ ଦାଏର କରିଥିଲେ ।