ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟ ଅଧିକ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ସୋମବାର ଏସମ୍ପର୍କୀତ ଏକ ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଅଭିବ୍ୟକ୍ତିର ସ୍ୱାଧୀନତା’ ଆଳରେ ଘୃଣା ସୃଷ୍ଟିକାରୀ ଭାଷଣକୁ କଦାପି ବରଦାସ୍ତ କରାଯିବ ନାହିଁ । ଘୃଣା ସୃଷ୍ଟିକାରୀ ଭାଷଣକୁ ଗମ୍ଭୀରତାର ସହ ନେବା ସହ ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୋଗ ଦାଖଲକୁ ଅପେକ୍ଷା ନକରି ପୁଲିସ୍ ନିଜଆଡୁ ଏତଲା ରୁଜୁ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ବର୍ତ୍ତମାନ ସମୟରେ ‘ଅଭିବ୍ୟକ୍ତିର ସ୍ୱାଧୀନତା’ ନାମରେ ସବୁକିଛିକୁ ଯଥାର୍ଥ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ବିପଜ୍ଜନକ । କୋର୍ଟ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ଭାଷଣ ଦେଶର ଧର୍ମନିରପେକ୍ଷ ଢାଞ୍ଚା ପାଇଁ ମଧ୍ୟ ଏବ ବଡ଼ ବିପଦ ସୃଷ୍ଟି କରୁଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍ ।










