ନୂଆଦିଲ୍ଲୀ : ଗୁରୁବାର ଦେଶବ୍ୟାପୀ ପବିତ୍ର ଗଣେଶ ପୂଜା ପାଳିତ ହେବାକୁ ଯାଉଛି । ତେବେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ଇଦ୍ଗା ମଇଦାନରେ ଆୟୋଜିତ ହେବାକୁ ଥିବା ଗଣେଶ ପୂଜା ଉପରେ ସୁପ୍ରିମକୋର୍ଟ ନିଷେଧାଜ୍ଞା ଜାରି କରିଛନ୍ତି । ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ଏ.ଏସ୍.ଓକ୍କା ଓ ଜଷ୍ଟିସ ଏମ.ଏମ.ସୁନ୍ଦରେଶଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ବୁଧବାର ୱାକଫ୍ ବୋର୍ଡ ପକ୍ଷରୁ ଆଗତ ପିଟିସନ୍ର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ଏହି ବିବାଦକୁ କେନ୍ଦ୍ରକରି କର୍ଣ୍ଣାଟକ ହାଇକୋର୍ଟରେ ପ୍ରଥମେ ମାମଲା ଦାଏର କରାଯାଇଥିଲା । ରାଜ୍ୟ ସରକାର ଚାହିଁଲେ ଇଦ୍ଗା ମଇଦାନରେ ଗଣେଶ ପୂଜା ଆୟୋଜିତ ହୋଇପାରିବ ବୋଲି ହାଇକୋର୍ଟ ଅଗଷ୍ଟ ୨୬ରେ ରାୟ ଶୁଣାଇଥିଲେ । ଏହାର ପ୍ରତିବାଦରେ ୱାକଫ୍ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା ।
୨.୫ ଏକର ବିଶିଷ୍ଟ ଏହି ମଇଦାନରେ ଆଜକୁ ୨୦୦ ବର୍ଷ ଧରି କୌଣସି ପର୍ବ ପର୍ବାଣୀ ପାଳିତ ହୋଇନଥିବାବେଳେ ରାଜ୍ୟ ସରକାର କିଭଳି ଗଣେଶ ପୂଜା ପାଇଁ ଅନୁମତି ଦେଉଛନ୍ତି ବୋଲି ୱାକଫ୍ ବୋର୍ଡ ଓକିଲ ଦୁଷ୍ମନ୍ତ ଡାଭେ ଯୁକ୍ତି ଉପସ୍ଥାପନ କରିଥିଲେ । ଏହାଦ୍ୱାରା ବାବ୍ରି ମସଜିଦ୍ ସ୍ଥିତିର ପୁନରାବୃତ୍ତି ଘଟିପାରେ ବୋଲି ମଧ୍ୟ ସେ କୋର୍ଟଙ୍କୁ ଜଣାଇଥିଲେ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଓକିଲ ମୁକୁଲ ରୋହତୋଗୀ କହିଥିଲେ ଯେ କେବଳ ଦୁଇଦିନ ପାଇଁ ପୂଜା ଅନୁମତି ମିଳିଲେ କୌଣସି କ୍ଷତି ଘଟିବ ନାହିଁ । ମଇଦାନରେ କୌଣସି ସ୍ଥାୟୀ ମଣ୍ଡପ ନିର୍ମିତ ହେଉନଥିବାରୁ ଏଭଳି ଅନୁମତିକୁ ବିରୋଧ କରିବା ଅଯୁକ୍ତିକର ବୋଲି ରାଜ୍ୟ ସରକାରଙ୍କ ଓକିଲ କହିଥିଲେ ।
ଜବାବରେ ଡାଭେ କହିଥିଲେ ଯେ ୧୯୯୨ରେ ମଧ୍ୟ ବାବ୍ରି ମସଜିଦ ମାମଲାରେ ତତ୍କାଳୀନ କଲ୍ୟାଣ ସିଂହ ସରକାର ଏଭଳି ପ୍ରତିଶ୍ରୁତି ଦେଇ ହଟହଟାର ସମ୍ମୁଖୀନ ହୋଇଥିଲେ । ଉଭୟପକ୍ଷର ଯୁକ୍ତି ଶୁଣିବାପରେ ସୁପ୍ରିମକୋର୍ଟ ପୀଠ ମଇଦାନର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ମଇଦାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଗୁରୁବାର ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ପ୍ରଥମେ ଏହି ମାମଲାର ଶୁଣାଣି କରାଯାଇଥିଲା । ତେବେ ଦୁଇଜଣ ବିଚାରପତିଙ୍କ ରାୟ ମେଳ ନଖାଇବାରୁ ଏହାର ଶୁଣାଣି ତିନିଜଣିଆ ପୀଠରେ କରାଯିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତ ନିର୍ଦ୍ଦେଶ ଦେଇଥିଲେ ।