ନୂଆଦିଲ୍ଲୀ: ଦିଲ୍ଲୀରେ କ୍ୟାବ୍ ଆଗ୍ରିଗେଟରଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମ୍ କୋର୍ଟ । ବାଇକ ଟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସି ଅର୍ଥାତ୍ ବାଇକ୍ ଟ୍ୟାକ୍ସି କୁ ନିଷିଦ୍ଧ କରାଯାଇଛି ।
କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇ ଦିଲ୍ଲୀ ସରକାରଙ୍କ ନିୟମାବଳୀ ନ ଆସିବା ପର୍ଯ୍ୟନ୍ତ ବାଇକ୍ ଟାକ୍ସି ଆଗ୍ରିଗେଟର୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ସୁପ୍ରିମକୋର୍ଟ ସୋମବାରଦିନ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ଓ ବାଇକ ଟାକ୍ସି ଉପରେ କଟକଣା ଜାରି କରିଛନ୍ତି । ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୀତି ଓ ନିୟମବାଳୀ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ଦୁଇ ଚକିଆ ଟ୍ୟାକ୍ସିକୁ ଅଣ ପରିବହନ ଯାନ ବୋଲି ସୁପ୍ରିମ୍ କୋର୍ଟ ବିଚାର କରିଛନ୍ତି । ଦିଲ୍ଲୀ ସରକାର ଏହି ମାମଲାରେ କହିଛନ୍ତି ଯେ ଜୁନ୍ ୩୦ ସୁଦ୍ଧା ଏ ସଂକ୍ରାନ୍ତରେ ଏକ ନୀତି ଅଣାଯିବ । ଦୁଇ ଚକିଆ ଯାନର ବାଣିଜ୍ୟିକ ବ୍ୟବହାର ମୋଟର ଯାନ ଆଇନ, ୧୯୮୮ର ଉଲ୍ଲଂଘନ ହୋଇଥିବାରୁ ଦିଲ୍ଲୀ ସରକାର ପୂର୍ବରୁ କ୍ୟାବ୍ ଅପରେଟରମାନଙ୍କୁ କଡ଼ା ସମାଲୋଚନା କରିଥିଲେ । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ । ସେପର୍ଯ୍ୟନ୍ତ ଏହି ସେବା ଉପରେ କଟକଣା ଜାରି କରିଥିଲେ ଦିଲ୍ଲୀ ସରକାର ।