17.1 C
Bhubaneswar
Monday, November 25, 2024
Homeଓଡିଶାଭୁବନେଶ୍ୱରଆଜିଠୁ ସ୍କୁଲରେ ଗ୍ରୀଷ୍ମଛୁଟି

ଆଜିଠୁ ସ୍କୁଲରେ ଗ୍ରୀଷ୍ମଛୁଟି

ଭୁବନେଶ୍ୱର : କରୋନା ପାଇଁ ଗତ ଦୁଇବର୍ଷରେ ପିଲାମାନେ ହରାଇଥିବା ଶିକ୍ଷାକୁ ପୁଣି ପଢ଼ିବେ । ନୂଆ ସହ ସେମାନଙ୍କୁ ପୁରୁଣା ପାଠର ଶିକ୍ଷା ଦିଆଯିବ । ଏମିତି ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ବ୍ରିଜ୍‌ କୋର୍ସ’ ତିଆରି କଲେ । ଏଥିପାଇଁ ସରକାର ଗ୍ରୀଷ୍ମ ଛୁଟିକୁ ବାତିଲ କଲେ । ସରକାର ଘୋଷଣା କଲେ ଏହି ଛୁଟି ଭିତରେ ପିଲାଙ୍କୁ ପୁରୁଣା ପାଠ ପଢ଼ାଯିବ । ଡହ ଡହ ଖରାରେ ପିଲାମାନେ ସ୍କୁଲ ଆସିଲେ । କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଗ୍ରୀଷ୍ମ ଛୁଟି ବାତିଲ କରାଗଲା ତାହା ଏଯାଏଁ ପୁରୁଣା ହୋଇପାରିଲା ନାହିଁ । ରବିବାରଠୁ ସ୍କୁଲ ଛୁଟି ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ସ୍କୁଲରେ ବ୍ରିଜ୍‌ କୋର୍ସ ଆରମ୍ଭ ହେବା କଥା ଦୂରରେ ଥାଉ ଏହାର ସ୍ୱତନ୍ତ୍ର ପୁସ୍ତିକା ବି ପିଲାଙ୍କ ପାଖରେ ପହଞ୍ଚିପାରିଲା ନାହିଁ ।

ଶୈକ୍ଷିକ ପୁନରୁଦ୍ଧାର ଯୋଜନା (ଏଲ୍‌ଆର୍‌ପି)ରେ ବ୍ରିଜ୍‌ କୋର୍ସ ହୋଇଥିଲା । ବିଭାଗ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି କରାଯାଇନଥିଲା । ଏଥିପାଇଁ କରାଯାଇଥିବା ସ୍ୱତନ୍ତ୍ର ପୁସ୍ତିକା ବି ଛପା ହୋଇନଥିଲା । କିନ୍ତୁ ଗ୍ରୀଷ୍ମ ଛୁଟି ବାତିଲ କରାଯାଇ ସ୍କୁଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଗଲା ମେ ୨ରୁ ଜୁନ୍‌ ୪ ପର୍ଯ୍ୟନ୍ତ ପିଲାଙ୍କୁ ବ୍ରିଜ୍‌ କୋର୍ସର ପାଠ ପଢ଼ାଯିବ । ଏହାକୁ କିଭଳି ପରିଚାଳନା କରାଯିବ ସେନେଇ ଜିଲ୍ଲାସ୍ତରରେ ମନିଟରିଂ ପାଇଁ ବିଭାଗ ବ୍ୟବସ୍ଥା ବି ହୋଇଗଲା । ଡିଇଓଙ୍କଠୁ ନେଇ ବିଇଓ, ସିଆର୍‌ସିସି ଓ ପ୍ରଧାନଶିକ୍ଷକଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଏହାର ଦାୟିତ୍ୱ ଦିଆଗଲା । ଏହି ହିସାବରେ ମେ ମାସରେ ତୃତୀୟରୁ ଏକାଦଶ ଶ୍ରେଣୀର ପିଲାମାନେ ଗତ ଦୁଇବର୍ଷର ପୁରୁଣା ପାଠ ପଢ଼ିଥାଆନ୍ତେ । ହେଲେ ମେ ଯାଇ ଜୁନ୍‌ ୪ ତାରିଖ ହୋଇଗଲା ପଛେ ଏପର୍ଯ୍ୟନ୍ତ ପିଲାଙ୍କ ପାଖରେ ବ୍ରିଜ୍‌ କୋର୍ସର ବହି ପହିଞ୍ଚିପାରିଲାନି। ସୋମବାରଠୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ହେବ । ଆଉ କେଉଁ ଦିନ ବ୍ରିଜ୍‌ କୋର୍ସ ପାଠ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ।

ଅଭିଭାବକମାନେ କହିଛନ୍ତି, ଆସନ୍ତା ୧୭ ତାରିଖରୁ ପୁଣି ସ୍କୁଲ ଖୋଲିବ । ସେତେବେଳେ ପିଲାମାନେ ନୂଆ ପାଠ ପଢ଼ିବେ ନା ଏହି ପୁରୁଣା ପାଠକୁ ପଢ଼ିବେ । ଯଦି ସରକାର ସବୁ ପ୍ରସ୍ତୁତ କରି ଗ୍ରୀଷ୍ମ ଛୁଟି ପୂର୍ବରୁ ଏହି ବହି ଛପାଇ ପିଲାଙ୍କୁ ବାଣ୍ଟିଥାଆନ୍ତେ ତେବେ ମେ ମାସରେ ପୁରୁଣା ପାଠ ପଢ଼ା ହୋଇଥାଆନ୍ତା । ଯୋଜନା ବି ସଫଳ ହୋଇଥାଆନ୍ତା । ହେଲେ ବିଭାଗର ତରବରିଆ ନିଷ୍ପତ୍ତି ଯୋଗୁଁ ବ୍ରିଜ୍‌ କୋର୍ସର ଯୋଜନା ଫେଲ୍‌ ମାରିଲା ବୋଲି ଅଭିଭାବକମାନେ କହିଛନ୍ତି ।

ପୂର୍ବରୁ ଏନେଇ ବିଭାଗୀୟ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ, ବ୍ରିଜ୍‌ କୋର୍ସର ବହି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ବହି ଛପା ହେବାକୁ ଦିଆଯାଇଛି । ଖୁବ୍‌ଶୀଘ୍ର ବହି ଗୁଡ଼ିକ ସ୍କୁଲରେ ପହଞ୍ଚିବ । କେବଳ ତ ଖରାଛୁଟିରେ ଏହି ପାଠ ପଢ଼ା ହେବନି । ବର୍ଷ ତମାମ୍‌ ଏହି ପାଠ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking