ଫିରିଙ୍ଗିଆ: ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ଥାନା ଅଞ୍ଚଳର ଦାମା ରେଜୁ ଗାଁରେ ଜଣେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟା ନାବାଳିକା ଗାଁ ପାଖ ଜଙ୍ଗଲର ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦ ତାରିଖ ସକାଳୁ ସମ୍ପୃକ୍ତ ନାବାଳିକା କେଉଁଆଡ଼େ ଯାଇ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଉ ଆଜି ଗାଁ ନିକଟସ୍ଥ ଜଙ୍ଗଲର କିଛି ଦୂରରେ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ କିଛି ଲୋକେ ତାଙ୍କ ମୃତଦେହ ଦେଖି ପରିବାରକୁ ଖବର ଦେଇଥିଲେ ।
ନାବାଳିକାର ବାପା ଗୋପି ଦୀଗାଲ ଗୋଛାପଡ଼ା ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଗୋଛାପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।