ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଲିସ ରବିବାର ମହୀଶୂର ସହରସ୍ଥିତ ଚାମୁଣ୍ଡିପୁରମ ଅଞ୍ଚଳରେ ଏକ ଭଡାଘରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି । ଏହା ଏକ ସମୂହ ଆତ୍ମହତ୍ୟା ମାମଲା ବୋଲି ପୁଲିସ ଆଶଙ୍କା କରୁଛି । ମୃତକଙ୍କ ଘର କବାଟ ଦୁଇଦିନ ବନ୍ଦ ରହିବାପରେ ପଡୋଶୀମାନେ ପୁଲିସକୁ ଖବର ଦେଇଥିଲେ । ସମ୍ମୁଖଭାଗ କବାଟ ଭିତରପଟୁ ବନ୍ଦ ଥିବାରୁ ପୁଲିସ ପଛଦ୍ୱାର ଦେଇ ଭିତରକୁ ପ୍ରବେଶ କରିଥିଲା । ଘର ଭିତରେ ୪ ଜଣଙ୍କ ମୃତଦେହ ପଡିଥିବା ଲକ୍ଷ୍ୟ କରାଯାଇଥିଲା ।
ପତ୍ନୀ, ଶିଶୁପୁତ୍ରକୁ ହତ୍ୟାପରେ ଆତ୍ମହତ୍ୟା ଉଦ୍ୟମ
ଜୟପୁର: ରାଜସ୍ଥାନର ଜୟପୁର ସହରରେ ଜଣେ ବ୍ୟକ୍ତି ପତ୍ନୀ ଓ ଶିଶୁପତ୍ରକୁ ହତ୍ୟା କରିବାପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ମନୋଜ ଶର୍ମା ନାମକ ଏହି ୩୦ ବର୍ଷୀୟ ବ୍ୟକ୍ତି ହାଲୁଆରେ ବିଷାକ୍ତ ପଦାର୍ଥ ମିଶାଇ ପତ୍ନୀ, ୨ ବର୍ଷର କନ୍ୟା ଓ ୫ ମାସର ଶିଶୁପୁତ୍ରକୁ ଖାଇବାକୁ ଦେଇ ନିଜେ ମଧ୍ୟ ଖାଇଥିଲେ । କିଛି ସମୟ ପରେ ପତ୍ନୀ ଓ ପୁତ୍ର ପ୍ରାଣ ହରାଇଥିଲେ । ତେବେ ମନୋଜ ଓ କନ୍ୟା ଜଣକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରବଳ ଋଣବୋଝ ଯୋଗୁଁ ମନୋଜ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ରାଜସ୍ଥାନ ସୀମାରୁ ପାକିସ୍ତାନୀ ଡ୍ରୋନ୍ ଜବତ
ଜୟପୁର: ରାଜସ୍ଥାନ ପୁଲିସ ଓ ବିଏସ୍ଏଫ୍ର ମିଳିତ ବାହିନୀ ରବିବାର ଶ୍ରୀଗଙ୍ଗାନଗର ଜିଲ୍ଲା ଅନ୍ତର୍ଗତ ଶ୍ରୀକରନପୁର ସହର ସଂଲଗ୍ନ ଆନ୍ତର୍ଜାତିକ ସୀମାରୁ ଏକ ପାକିସ୍ତାନୀ ଡ୍ରୋନ୍ ଜବତ କରିଛନ୍ତି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉକ୍ତ ଡ୍ରୋନ୍ଟି ଭାରତ-ପାକ୍ ସୀମାରେ ଖସିପଡିଥିବା ଅନୁମାନ କରାଯାଉଛି । ଉକ୍ତ ଡ୍ରୋନ୍କୁ ଯାଞ୍ଚ କରାଯାଉଥିବା କୁହାଯାଇଛି ।
ଇମ୍ରାନଙ୍କ ବିରୋଧରେ ଆଗତ ହତ୍ୟା ମାମଲା ଖାରଜ
ଇସଲାମାବାଦ: ପାକିସ୍ତାନର ଏକ ଅଦାଲତ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆଗତ ଏକ ହତ୍ୟା ମାମଲାକୁ ଖାରଜ କରିଦେଇଛନ୍ତି । ଚଳିତବର୍ଷ ଜୁନ୍ରେ କ୍ୱେଟା ପ୍ରଦେଶର ବିଜ୍ଲି ରୋଡ୍ ଥାନାରେ ଇମ୍ରାନଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା । ତେବେ ପ୍ରମାଣ ଅଭାବରୁ ମାମଲାକୁ ଖାରଜ କରାଯାଇଥିବା ବିଚାରପତି କହିଛନ୍ତି । ସୂୂଚନାଯୋଗ୍ୟ ୨୦୨୨ ଏପ୍ରିଲରେ ଅନାସ୍ଥା ଭୋଟ୍ ଯୋଗୁଁ ପ୍ରଧାନମନ୍ତ୍ରୀ ଆସନରୁ ବିତାଡିତ ହେବାପରେ ଇମ୍ରାନଙ୍କ ବିରୋଧରେ ବିଭିନ୍ନ ଅଦାଲତରେ ଶତାଧିକ ମାମଲା ରୁଜୁ କରାଯାଇଛି ।
ୟୁପି: ମହିଳା ସରପଞ୍ଚଙ୍କୁ ମାଡ଼, ୫ ଗିରଫ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲା ଅନ୍ତର୍ଗତ ଟିକମପୁର ଗ୍ରାମରେ ଜଣେ ମହିଳା ସରପଞ୍ଚଙ୍କୁ ନିସ୍ତୁକ ମାଡ ହୋଇଥିବା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ରାସ୍ତାରେ ହମ୍ପ୍ସ ନିର୍ମାଣକୁ କେନ୍ଦ୍ରକରି ସରପଞ୍ଚ ଲକ୍ଷ୍ମୀ ଦେବୀ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପଡୋଶୀଜଣକ ଗ୍ରାମର ଏକାଧିକ ଗୁଣ୍ଡାଙ୍କୁ ଲଗାଇ ଲକ୍ଷ୍ମୀଙ୍କୁ ଲାଠି ଓ ଲୁହାରଡ୍ରେ ନିସ୍ତୁକ ପିଟିଥିଲେ । ପୁଲିସକୁ ଗୁହାରି କରିଥିଲେ ସୁଦ୍ଧା ଲକ୍ଷ୍ମୀଙ୍କୁ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି ।