ଜଟଣୀ : ପାରିବାରିକ କଳହର କରୁଣ ପରିଣତିରେ ମଙ୍ଗଳବାର ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ପାରିପାଶ୍ୱିର୍କ ଅବସ୍ଥାରୁ ଏହା ଆତ୍ମ ହତ୍ୟା ସନ୍ଦେହ କରାଯାଉଛି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏ ନେଇ ପୁଲିସର ତଦନ୍ତ ଜାରି ରହିଥିବାବେଳେ ମୃତ ଦେହ ଦୁଇଟିକୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଜଟଣୀ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ୍ ଛକ ଡାକବଙ୍ଗଳା ଅଞ୍ଚଳରେ ରହୁଥିବା ହରିଜନ ବସ୍ତିର କାହ୍ନୁ ନାଏକ (୪୫) ଓ ତାଙ୍କ ପତ୍ନୀ କୌଶଲ୍ୟା ନାଏକ (୩୫)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଅପରାହ୍ନ ପର୍ଯ୍ୟନ୍ତ ଚାଲିବାପରେ ବନ୍ଦଗୃହ ମଧ୍ୟରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଶଦ୍ଦ ନଶୁଣାଯିବାରୁ ପଡ଼ୋଶୀ ଲୋକେ କବାଟ ବାଡ଼େଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଫଳରେ ଲୋକଙ୍କ ମଧ୍ୟରେ ସନ୍ଦେହଜାତ ହୋଇଥିଲା । ତେବେ ଏ ନେଇ ତାଙ୍କ ପୁଅଙ୍କୁ ଫୋନ କରାଯାଇଥିଲା । ପୁଅ ଭୂବନେଶ୍ୱରରୁ ଆସିବାପରେ ପୁଲିସ ସହାୟତାରେ ଘରର କବାଟ ଭାଙ୍ଗି ମୃତ ଅବସ୍ଥାରେ କାହ୍ନୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ପତ୍ନୀ କୌଶଲ୍ୟାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କୌଶଲ୍ୟାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ଏ ନେଇ ଜଟଣୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ପାରପାଶ୍ୱିର୍କ ଅବସ୍ଥା ଓ ସ୍ଥାନୀୟ ବାସିନ୍ଦାଙ୍କ ସୂଚନାନୁସାରେ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି ।