ଇସଲାମବାଦ: ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଗତକାଲି ରାତିରେ ପାକିସ୍ତାନର ଗୋଟିଏ ଥାନାରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୨ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇଛି । ସ୍ୱାତ୍ ଉପତ୍ୟାକାର କବାଲ ଥାନାରେ ଏହି ବିସ୍ଫୋରଣ ହୋଇଛି । ଉକ୍ତ ଥାନା ପରିସରରେ ଆତଙ୍କବାଦ ନିରୋଧି ବିଭାଗ ସହ ଗୋଟିଏ ମସଜିଦ ରହିଥିଲା । ବିସ୍ଫୋରଣରେ କୋଠାଗୁଡିକ ଭୁଶୁଡି ପଡିଛି ।
ତେବେ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି । ପାକିସ୍ତାନ ପୋଲିସ କହିଛି ଯେ, ଆତ୍ମଘାତୀ ଆକ୍ରମଣ ନେଇ କୌଣସି ପ୍ରମାଣ ମିଳିନାହିଁ । ବିସ୍ଫୋରଣ ହୋଇଥିବା ସ୍ଥାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଗଚ୍ଛିତ ଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବିସ୍ଫୋରଣ ହୋଇଥାଇପାରେ। ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ କରାଯାଉଥିବା ପୋଲିସ କହିଛି ।