18.1 C
Bhubaneswar
Monday, December 22, 2025
Homeଓଡିଶାଡିଜିପିଙ୍କୁ ଭେଟିଲେ ସଫଳ କ୍ରୀଡ଼ାବିତ

ଡିଜିପିଙ୍କୁ ଭେଟିଲେ ସଫଳ କ୍ରୀଡ଼ାବିତ

ଭୁବନେଶ୍ୱର : ଆଜି ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଜିପି ଶ୍ରୀ ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ୨୪ତମ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିୟନଶିପ୍ ୨୦୨୪-୨୫ରେ ଓଡ଼ିଶା ପୋଲିସକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ୫ଟି ସ୍ୱର୍ଣ୍ଣ ପଦକ, ୧ ଟି ରୌପ୍ୟ ପଦକ, ୪ଟି କାଂସ୍ୟ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଏହା ସହ ତ୍ରିପୁରା ଠାରେ ଆୟୋଜିତ ହୋଇଥିବା ୭୩ ତମ ସର୍ବ ଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍ ରେ ଓଡ଼ିଶା ପୋଲିସ ମହିଳା ଫୁଟବଲ ଟିମ ବ୍ରୋଞ୍ଜ ପଦକ ହାସଲ କରିଥିଲା । ସେହିପରି ପଞ୍ଜାବର ଜଳନ୍ଧର ଠାରେ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ପୋଲିସ କବାଡି କ୍ଲଷ୍ଟର ଓଡିଶା ପୋଲିସର ଜିମ୍ନାଷ୍ଟ ସୀତାକାନ୍ତ ଓଝା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଏହି ଅବସରରେ ଡିଜିପି ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ାରେ ପ୍ରତ୍‌ଯେକ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫ ହଜାର ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୩ ହଜାର ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ପଦକ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। ଏହି ଉତ୍ସବରେ ପୋଲିସ କମିଶନର ଶ୍ରୀ ଏସ. ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସମେତ ଟିମ ମ୍ୟାନେଜର, ପ୍ରଶିକ୍ଷକ ଓ ଖେଳାଳୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking