କଟକ: କଟକ ମହାନଗର ନିଗମର ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ହେବେ ରାଜ୍ୟସଭା ସାଂସଦ ସୁବାସ ସିଂହ । ଦଳରେ ବହୁ ଘଣ୍ଟାଚକଟା ପରେ ଶେଷରେ ରାଜ୍ୟ ନେତୃତ୍ୱ ସୁବାସଙ୍କ ଉପରେ ଭରସା କରିଛି । ଯଦିଓ ବିଜୁ ଜନତା ଦଳ ପକ୍ଷରୁ ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇନଥିଲେ ମଧ୍ୟ ବିଜେଡ଼ିର ଉପରମହଲ ଏବଂ ସୁବାସଙ୍କ ନିକଟତମ ସୂତ୍ରରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି । ସୂଚନା ଅନୁଯାୟୀ, ସୁବାସଙ୍କ ଜଣେ ଦୃଢ ସମର୍ଥକ ଦୁଇଦିନ ତଳେ ସିଏମସିରେ ୧୭,୭୦୦ଟଙ୍କା ପୈଠ କରି ୫୯ଟି ୱାର୍ଡ଼ର ଭୋଟର ତାଲିକା ସଂଗ୍ରହ କରିଛନ୍ତି । ଏହାଛଡା ନିକଟତମ ସମର୍ଥକମାନଙ୍କୁ ଏବାବଦରେ ସୁବାସ ଜଣାଇଦେବା ସହ ସୋମବାର ସେ ନାମଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ତାଙ୍କ ସମର୍ଥକମାନେ ସବୁ ପ୍ରକାର ପ୍ରସ୍ତୁତି ତଥା କାଗଜପତ୍ର ସଂଗ୍ରହ କରିବାରେ ଲାଗି ପଡ଼ିଲେଣି । ସୂଚନାଯୋଗ୍ୟ, ବିଜେଡିରେ ମେୟର ପ୍ରାର୍ଥୀ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ନାମ ପ୍ରଥମରୁ ଚର୍ଚ୍ଚାକୁ ଆସିଥିଲା ।
ସୁବାସ ପ୍ରତ୍ୟକ୍ଷ ଭୋଟ ରାଜନୀତିକୁ ଓହ୍ଲାଇବେ । ସିଧାସଳଖ ମେୟର ନିର୍ବାଚନରେ ବିଜୟୀ ହେବାପରେ ସେ ରାଜ୍ୟସଭାରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ଶ୍ରୀ ସିଂହ ଦୀର୍ଘବର୍ଷ ଧରି ଜଣେ ବାମପନ୍ଥୀ ନେତା ହିସାବରେ ବିଭିନ୍ନ ସମସ୍ୟାକୁ ନେଇ ଧାରାବାହିକ ଭାବେ ଆନ୍ଦୋଳନ କରିଥିଲେ । ତାଙ୍କର ଏହି ଆନ୍ଦୋଳନାତ୍ମକ ଭୂମିକା ଯୋଗୁ କଟକ ସହରରେ ସେ ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ । ତେବେ ବିଜେଡିରେ ଯୋଗଦେବା ପରେ ଦଳର କୋଷଧ୍ୟକ୍ଷ ପଦ,ନିର୍ମାଣ ତଥା ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ଏହା ପରଠାରୁ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଲଗାତାର ଭାବେ ତାଙ୍କୁ ଦେଖିବାକୁ ମିଳୁଥିଲା । ଗତ ଏକ ବର୍ଷଧରି ବଡ଼ବଡ଼ ସରକାରୀ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଉତ୍ସବରେ ତାଙ୍କ ଉପସ୍ଥିତି ବେଶ୍ ବାରି ହୋଇପଡ଼ିଥିଲା । ସେ କଟକ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଥିଲେ । ଏହାଛଡା କଟକ-ବାରବାଟୀ ବିଧାନସଭା ନିର୍ବାଚିନରେ ବିଜେଡି ପ୍ରାର୍ଥୀ ପରାଜିତ ହୋଇଥିବାରୁ ଅନେକ ସମୟରେ ସୁବାସ ହିଁ ଦଳର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ତେବେ ସୁବାସଙ୍କୁ ମେୟର ପ୍ରାର୍ଥୀ କରିବା ଲାଗି ବିଜୁ ଜନତା ଦଳକୁ ବେଶ୍ କସରତ କରିବାକୁ ପଡ଼ିଛି । ନିର୍ବାଚନ ଘୋଷଣା ପୂର୍ବରୁ ଯେଉଁମାନେ ମେୟର ଟିକେଟ ପାଇବା ପାଇଁ ପାଗ ଭିଡ଼ିଥିଲେ ସେମାନଙ୍କୁ ମନାଇବା ଏବଂ ସଂଗଠନ ମଧ୍ୟରେ ଏନେଇ ସୃଷ୍ଟି ବିବାଦର ସମାଧାନ କରିବା ପାଇଁ ଦଳ ନିକଟରେ ସୁବାସ ହିଁ ପ୍ରକୃଷ୍ଠ ବିକଳ୍ପ ଥିଲେ । ଏଣୁ ତାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯାଉଛି । ଆସନ୍ତା ସୋମବାର ଶ୍ରୀ ସିଂହ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।