30.1 C
Bhubaneswar
Sunday, September 29, 2024
Homeଓଡିଶାମୟୁରଭଞ୍ଜଅନ୍ତେବାସୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ସ୍କୁଲ ଘେରାଉ

ଅନ୍ତେବାସୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ସ୍କୁଲ ଘେରାଉ

ମୟୂରଭଞ୍ଜ : ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ। ମୃତା ଛାତ୍ରୀ ବଡ଼ସାହି ଥାନା ଅଧିନ ସିଙ୍ଗଟିଆ ଗ୍ରାମର ନିଳକଣ୍ଠ ପାତ୍ରଙ୍କ ଝିଅ ଅଞ୍ଜଳି। ସୂଚନା ଅନୁସାରେ ବିରେଶ୍ଵରପୁର ଆଦିବାସୀ ବାଳିକା ଛାତ୍ରୀ ନିବାସରେ ରହି ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ ଅଞ୍ଜଳୀ। ତେବେ ଆଜି ମଧ୍ୟାହ୍ନରେ ଖାଇ ସାରିବାର କିଛି ସମୟ ପରେ ହଠାତ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିବା ଘର ଲୋକଙ୍କୁ ଜଣାଇଥିଲେ ଦାୟିତ୍ଵରେ ଥିବା ମେଟ୍ରୋନ ଓ ଅନ୍ୟ କର୍ମଚାରୀ ମାନେ। ଅଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଖୁଣ୍ଟା ଥାନା ଅଧିନସ୍ଥ ଡ଼ୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଅନ୍ତେବାସୀ ଛାତ୍ରୀ ଅଞ୍ଜଳୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମର ଶରୀରକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇ ଥିଲେ। ତେବେ ମୃତା ଛାତ୍ରୀଙ୍କ ବାପା ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଆଜି ବାରିପଦା ସ୍ଥିତ ପି ଆର.ଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ମୃତ ଛାତ୍ରୀ ଅଞ୍ଜଳୀର ଶବ ବ୍ୟବଚ୍ଛେଦ ସରିଛି । ଏପଟେ ଦିନ ତମାମ୍ ବିରେଶ୍ବରପୁର ବିଦ୍ୟାଳୟରେ ମୃତ ଛାତ୍ରୀର ଆତ୍ମୀୟସ୍ବଜନ ସହିତ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉପଯୁକ୍ତ ନ୍ୟାୟପ୍ରଦାନ ଦାବିରେ ଅଟଳ ରହିଛନ୍ତି । ବଡସାହି ପୋଲିସ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଜାରିରଖିଛି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ହଷ୍ଟେଲରେ ଏଭଳି ଘଟଣା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଥିବା ଅଭିଯୋଗ ହେଉଛି। ଯାହା ଦାୟିତ୍ବରେ ଥିବା ଶିକ୍ଷକ ଏବଂ କର୍ମଚାରୀଙ୍କ ସେବା ମନଭାଵ ବଦଳରେ ଚାକିରୀଆ ମାନସିକତା ଦାୟୀ ବୋଲି ମତପ୍ରକାଶ ପାଉଛି। ସେହିପରି ନିଜ ଦାୟିତ୍ବରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ନ ହେବା ଆଉଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠୁଛି କିଏ କାହା ବିରୋଧରେ କାର‌୍ୟ୍ୟାନୁଷ୍ଠାନ କରିବ। ହଷ୍ଟେଲ ପରିଚାଳନାରୁ ଉଦବୃତ୍ତ ଅର୍ଥରେ ସମସ୍ତଙ୍କ ଭାଗ ଥିବାରୁ କଥା ପ୍ରଘଟ ଭୟରେ କାର‌୍ୟ୍ୟାନୁଷ୍ଠାନ ପରିବର୍ତ୍ତେ ବୁଝାମଣା ହେଉଥିବା ଅଭିଯୋଗ ହେଉଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ। ସେହିପରି ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କ ସମ୍ପତ୍ତି ନିୟମିତ ଯାଞ୍ଚ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିବା ସମ୍ଭବ ହେବ। ଅନ୍ୟପଟେ ନିୟମିତ ଭାବେ ନିର୍ଦ୍ଦିଷ୍ଟ ଅନ୍ତରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ ବାସ୍ତବରେ ତାହାର କାର‌୍ୟ୍ୟକାରିତା କାଗଜପତ୍ରରେ ସୀମିତ ରହୁଥିବା ଆଲୋଚନା ହେଉଛି। ଏହାବ୍ୟତୀତ ବିଭିନ୍ନ ହଷ୍ଟେଲ ସୁପରିନଟେଣ୍ଡେଟ ଦାୟିତ୍ବରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ନ ରହି କୋଉଠି ମେଟ୍ରୋନ ତୋ ଆଉ କୋଉଠି ରୋଷେୟା ଉପରେ ନିର୍ଭର କରି ଛାଡି ଥାନ୍ତି। ଏହାର ତଦାରଖ ଦାୟିତ୍ବରେ ଥିବା ବ୍ଲକ ହେଉକି ଜିଲ୍ଲା ମଙ୍ଗଳ ଅଧିକାରୀ ବାସ୍ତବତା ଆଧାରରେ ପଦକ୍ଷେପ ଗ୍ରହଣ କରିବା ବଦଳରେ ମାସିକିଆ ଆଦାୟ କରି ନୀରବ ପ୍ରୋତ୍ସାହନ ସାଙ୍ଗକୁ ସୁରକ୍ଷା ଦେଉଥିବା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଅଭିଯୋଗ ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଉପରେ ସରକାର କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ସେହିପରି ମୃତା ଛାତ୍ରୀଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହିତ ଦାୟିତ୍ବରେ ଅବହେଳା କରିଥିବା ଶିକ୍ଷକଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ, ସ୍ଥାନୀୟ ଲୋକଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା । ଘଟଣାସ୍ଥଳରେ ବଡସାହି ପୋଲିସ ସହିତ ବେତନଟୀ ଏସଡିପିଓ ସୁଦର୍ଶନ ଦାସ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରୁଛନ୍ତି । ମୃତ ଛାତ୍ରୀର ଶବ ବ୍ୟବଛେଦ ପରେ ମଧ୍ୟ ଦିର୍ଘ ଘଣ୍ଟାଧରି ବିଦ୍ୟାଳୟ ନିକଟରେ ନପହଞ୍ଚିବା ର ଘଟଣା ସ୍ଥାନୀୟ ଜନସାଧାରଣରେ ଚର୍ଚାର ଘଟଣା ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking