ରାୟଗଡ଼ା: ସ୍କୁଲ୍ ପରିସରରେ ଛାତ୍ରଙ୍କ ଉନ୍ମତକାଣ୍ଡ। ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଦେଲେ। ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ତେବେ ନିଆଁରେ ପୋଡ଼ି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଥିବାବେଳେ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି।
ପ୍ରକାଶ ଯେ ସୋମବାର ଅପରାହ୍ଣ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେହି ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲେ। ଯାହାଫଳରେ ପିଲାମାନଙ୍କ ଶରୀରରେ ଅଗ୍ନି ସଂଯୋଗ ହୋଇ ପିଲାମାନେ ଜଳିଯାଉଥିଲେ। ଖବର ପାଇ ବିଦ୍ୟାଳୟ ଶିକ୍ଷକମନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ପ୍ରଥମେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଟୀୟାନ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି ଗୁରୁତର ରହିଛି। ଅନ୍ୟ ଆହତମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ର ନଳିନ ହୁଇକା, ରୋହିତ ଖରା ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ସୁଦାବ ବାଘ। ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ରମାନେ ପୋଡିଯିବା ଏକ ନିନ୍ଦନୀୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋିଛି।
କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ଚନ୍ଦନ କଲକାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ହାଇସ୍କୁଲ କ୍ୟାମ୍ପସରେ ଥିଲେ। ଖବର ପାଇ ମେଡିକାଲ ଆସିଥିବା କହିବା ସହ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ସଂକ୍ରାନ୍ତରେ ବିଦ୍ୟାଳୟର ଉପସ୍ଥିତ ଅନ୍ୟ ଶିକ୍ଷକମାନଙ୍କୁ ପଚାରି ବୁଝିବେ ବୋଲି ପ୍ରକାଶ କରିଛନ୍ତି।









