ଭବାନୀପାଟଣା: ପ୍ରେମକୁ ନେଇ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । କେତେବେଳେ ପ୍ରେମକୁ ପାଇବା ପାଇଁ କିଏ କାହାକୁ ହତ୍ୟା କରୁଛି ତ ପୁଣି କିଏ ପ୍ରେମରେ ବିଫଳ ହେବାରୁ ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏପରି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ପ୍ରେମ ବ୍ୟାପାରକୁ ନେଇ କଳାହାଣ୍ଡିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଜଣେ କଲେଜ ଛାତ୍ରଙ୍କୁ ହତ୍ୟା କରିଛନ୍ତି ଦୁଇ ଜଣ ନାବାଳକ । ମୃତଦେହ ଉଦ୍ଧାର ପରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଜୟପାଟଣା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଫେବୃଆରୀ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗାଁର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।
ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରୁ ତଦନ୍ତ କରିବା ପରେ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ନାବାଳକ ମୋହନ ମାଝୀ ଓ ଡାକ୍ତର ନାଏକ ପୋଲିସ ସାମ୍ନାରେ ଏପରି ମତ ରଖିଛନ୍ତି । ଦିଲୀପ ଜଣେ ନାବାଳିକାଙ୍କୁ ଭଲ ପାଉଥିବା ବେଳେ ଅଭିଯୁକ୍ତ ମୋହନ ମଧ୍ୟ ତାଙ୍କୁ ଭଲପାଉଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହତ୍ୟାର ରୂପ ନେଇଥିଲା । ଗତ ୧୮ ତାରିଖ ଦିନ ମୋହନ ଓ ଡାକ୍ତର, ଦିଲୀପକୁ ଏକ ନାଳକୁ ନେଇ ହତ୍ୟା କରିଥିଲେ । ପରେ ଏକ ଚାଷ ଜମିରେ ବାରହା ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ ତାର ଫାସରେ ଦିଲୀପର ମୃତଦେହ ଫିଙ୍ଗିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାଦେଖି ସ୍ଥାନୀୟ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ୍ର ମାଝୀ ମୃତକ ଦିଲୀପର ମୃତଦେହକୁ ଦେଖି ଗୋଟିଏ ଦିନ ଲୁଚାଇ ରଖିବାପରେ ନଦୀରେ ଫୋପାଡି ଦେଇଥିଲେ ।