ଭୁବନେଶ୍ୱର – ଆଜି କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଭିର୍ତିଭୂମି ପ୍ରୋଜେକ୍ଟର କାର୍ଯ୍ୟ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଗସ୍ତ କରିଥିଲେ । କଂଗ୍ରେସ ଭବନ ଭିତରେ ପୋଲିସର ଭଙ୍ଗାରୁଜା ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଛାତ୍ର କଂଗ୍ରେସ ଏହି ଅଗଣତାନ୍ତ୍ରିକ କାଣ୍ଡ ଭିଆଇଥିବା ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିରେ ଅଟଳ ରହିଆସିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କର ପଥ ଅବରୋଧ କରି ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅନ୍ୟାୟର ଜବାବ ମାଗିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲା । ରାଜରାସ୍ତାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇ ପ୍ରଶ୍ନ କରାଯାଇଥାନ୍ତା । ହେଲେ ତା ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ, ପିସିସି ସାଧାରଣ ସଂପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, ବାବୁ ଜେନା, ନଳିନୀ କାନ୍ତ ନାୟକ, ସଂକୁନା କହଁର ଓ କାର୍ତିକେଶ୍ୱର କାଣ୍ଡି ପ୍ରମୁଖଙ୍କୁ ପୋଲିସ ଉଠାଇ ନେଇ ଦେଢ଼ ଘଂଟା ପର୍ଯ୍ୟନ୍ତ ପୋଲିସ କମିଶନରେଟଙ୍କ କାର୍ଯ୍ୟାଳୟ ଭିତରେ ଅଟକ ରଖିଥିଲେ । ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରୁ ଫେରି ନବୀନ ନିବାସରେ ପହଂଚିବା ପରେ କଂଗ୍ରେସ ନେତୃମଣ୍ଡଳୀଙ୍କୁ ଛଡ଼ାଯାଇଥିଲା । ଯେପର୍ଯ୍ୟନ୍ତ କଂଗ୍ରେସ ଭବନରେ ପଶିଥିବା ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଇଛି ଛାତ୍ର କଂଗ୍ରେସ ତାର ଆନ୍ଦୋଳନାତ୍ମକ କାର୍ଯ୍ୟ କରିଚାଲିବ ବୋଲି ଶ୍ରୀ ନୱାଜ କହିଛନ୍ତି ।