15.1 C
Bhubaneswar
Tuesday, January 20, 2026
Homeଓଡିଶାପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ

ପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ

୨୫ ବର୍ଷ ଧରି ଓଡ଼ିଶାରେ ଛାତ୍ରମାନଙ୍କର ସ୍ୱାର୍ଥ ଉପେକ୍ଷିତ ହୋଇଛି
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ର କଂଗ୍ରେସ ପକ୍ଷରୁ ନବନିର୍ବାଚିତ ସଭାପତି ଉଦ୍ଦିତ ପ୍ରଧାନ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ଚୁନ୍ନୁ ସିଂଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ଲୋକସଭାର ବିରୋଧି ଦଳ ନେତା ସମ୍ମାନନୀୟ ରାହୁଲ ଗାନ୍ଧୀଙ୍କ ଅତୁଲ୍ୟ ନେତୃତ୍ୱ ଏବଂ ସମ୍ବିଧାନ ସୁରକ୍ଷା ସଂଗ୍ରାମକୁ କାର୍ଯ୍ୟକାରିଣୀ ପକ୍ଷରୁ ସମର୍ଥନ ଦିଆଯାଇଥିଲା। ଓଡ଼ିଶା ପ୍ରଭାରୀ ଶ୍ରୀ ଚୁନ୍ନୁ ସିଂ କହିଥିଲେ ଯେ ଉଭୟ ବିଜେଡ଼ି ଓ ବିଜେପି ସରକାର ଓଡ଼ିଶାରେ ଛାତ୍ରମାନଙ୍କର ସ୍ୱାର୍ଥକୁ ଉପେକ୍ଷା କରିଛନ୍ତି। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ସେହିଭଳି ନୂଆ ବିଜେପି ସରକାର ତାଙ୍କର କାର୍ଯ୍ୟକ୍ରମରେ ଶିକ୍ଷା ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଉନ୍ନତି ପାଇଁ ପ୍ରାଧାନ୍ୟ ଦେଇ ନାହାନ୍ତି। ନୂତନ ସରକାର ବିଜେଡ଼ି ସରକାରକୁ ଅନୁସରଣ କରି ଏ ବର୍ଷ ନିର୍ବାଚନ ବନ୍ଦ କରିଦେଲେ। ଏହାଦ୍ୱାରା ସାରା ରାଜ୍ୟରେ ଛାତ୍ରମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। ବିଶେଷ କରି ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଏବଂ ବିଶ୍ୱ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କରାଯିବା ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଛାତ୍ର କଂଗ୍ରେସ ଆନ୍ଦୋଳାତ୍ମକ କାର୍ଯ୍ୟକ୍ରମ କରିବ। ଜୟପୁରୁ ବିଧାୟକ ତାରା ପ୍ରସାଦ ବାହିନପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କର ଛାତ୍ର ସ୍ୱାର୍ଥ ବିରୋଧି ନୀତି ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଉପଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ କହିଥିଲେ ଯେ ଛାତ୍ର କଂଗ୍ରେସ ର‌୍ୟାଗିଙ୍ଗ ଓ ନିଶାମୁକ୍ତ ମୁକ୍ତ କ୍ୟାମ୍ପସ ପାଇଁ ଅଧିକ ଧ୍ୟାନ ଦେବ। ଶିକ୍ଷାନୁଷ୍ଠାନର ଭିତିଭୂମି ନିର୍ମାଣରେ ସରକାରୀ ଅନୁଦାନର ଦୁର୍ନୀତିକୁ ଦୃଢ଼ ପ୍ରତିବାଦ କରିବ। ଅଣଛାତ୍ର କିପରି କ୍ୟାମ୍ପସରେ ପ୍ରବେଶ କରିପାରିବେ ନାହିଁ ସେଥିପାଇଁ ଆନ୍ଦୋଳନ କରିବ। ବିଶେଷ କରି ହଷ୍ଟେଲର ସୁରକ୍ଷା, ଉତମ ପରିବେଶ ଉପରେ ପ୍ରାଧାନ୍ୟ ଦେବ। ଜାଲ୍ ସାର୍ଟିଫିକେଟ ମାଧ୍ୟମରେ ଯେଉଁ ଆଡ଼ିମିଶନ ଚାଲିଆସୁଅଛି ତାହା କିପରି ରୋକାଯିବ ସେଥିପାଇଁ ମଧ୍ୟ ଲଢ଼େଇ କରାଯିବ। ଏଠାରେ ପ୍ରକାଶ ଯୋଗ୍ୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟର ଶାରୀରିକ ଅକ୍ଷମ ମାନଙ୍କ ସାର୍ଟିଫିକେଟ ଜାଲିଆତି କରି ଆଡ଼ିମିଶନ କରାଯାଇଥିବାର ଧରାପଡ଼ିଥିଲା। ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରି କଲେଜ ଏବଂ ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ର କଂଗ୍ରେସର ଦୃଢ଼ ଦାବୀ ରହିବ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ ପ୍ରତିଶତ ପ୍ରପେସର ପଦବୀ ଖାଲି ପଡ଼ିଛି। ଏଥିରେ ଥିବା ୨୭ ଟି ବିଭାଗରୁ ପ୍ରାୟ ୧୭ ଟି ବିଭାଗରେ ପ୍ରଫେସର ନାହାନ୍ତି। ୫୮ ପ୍ରତିଶତ ସହଯୋଗୀ ପ୍ରଫେସର ପଦବୀ ଖାଲି ପଡ଼ିଛି। ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୬୦ ପ୍ରତିଶତ ନିୟମିତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨୦୬୭ ମଞ୍ଜୁର ପ୍ରାପ୍ତ ଶିକ୍ଷକ ପଦବୀରୁ ୧୫୮ ଟି ଶିକ୍ଷକ ପଦବୀ ଖାଲି ରହିଛି। ଓଡ଼ିଶାର ଓଡ଼ିଶାର ୧୨ ଟି ପବ୍ଲିକ୍ ବିଶ୍ୱବିଦ୍ୟାଳୟରେ୧୦୦୦ ନିୟମିତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଯାହାକି ମଞ୍ଜୁର ପ୍ରାପ୍ତ ଶିକ୍ଷକ ପଦବୀର ୫୭ ପ୍ରତିଶତ। ସେହିଭଳି ଡିଗ୍ରୀ କଲେଜ ଅବସ୍ଥା ଅତି ଶୋଚନୀୟ। ବିଶେଷ କରି ଛାତ୍ର କଂଗ୍ରେସ ବେକାରୀ ସମସ୍ୟାକୁ ନେଇ ଦୁର୍ବାର ଆନ୍ଦୋଳନ କରିବ। ଓଡ଼ିଶାର ୧୧ ଲକ୍ଷ ପଞ୍ଜିକୃତ ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆନ୍ଦୋଳନ କରାଯିବ। ସରକାର ନିର୍ଦ୍ଦିଷ୍ଟ ସମୟସୀମାରେ ଖାଲି ପଡ଼ିଥିବା, ୨, ୦୫, ୨୨୮ ସରକାରୀ ପଦବୀ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ଛାତ୍ର କଂଗ୍ରେସ ଦୃଢ଼ ଦାବୀ କରିବା ସହ ଆନ୍ଦୋଳନ ମଧ୍ୟ କରିବ। ଯେଉଁ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଏବଂ ତାଙ୍କର ଅଭିଭାବକମାନଙ୍କୁ ହଇରାଣ ହରକତ୍ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି ଆଦାୟକୁ ପ୍ରତିବାଦ କରାଯିବ।
ଏହି କାର୍ଯ୍ୟକ୍ରମରେ ବିଶ୍ୱଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ସାଗର ପଟ୍ଟନାୟକ, ସୁନିଲ ସାହୁ ଗାନ୍ଧୀ, ଭାଗ୍ୟଶ୍ରୀ ମହାନ୍ତି, ଲିପିକା ପାତ୍ର, ଲିପ୍ସା ନାୟକ, ହର ପ୍ରସାଦ ବେହେରା, ନିୟାଜୁଲ୍ ଇସ୍‌ଲାମ୍‌, ସମିର ବେହେରା, ସାହାରୁହ ଖାନ, ହାର୍ଦ୍ଦିକ ମହାପାତ୍ର, ଆଶୁତୋଷ ରାଉତ, ପବିତ୍ର ଗଣ୍ଡ, ବିଭୂତି ଭୂଷଣ ମହାପାତ୍ର, ତିଲିପ୍ କୁମାର ବିଶୋଇ, ସୁରଭ ଚରଣ ବେହେରା, ରାମେଶ୍ୱର ଶତ୍‌ପଥୀ, ଶ୍ରୀକାନ୍ତ ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ନାୟକ ଓ ଆଶୁତୋଷ ମିଶ୍ର ପ୍ରମୁଖ ଛାତ୍ରକଂଗ୍ରେସର ନେତୃମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking