ନୂଆଦିଲ୍ଲୀ: ୧୯୯୫ ମସିହା ସେପ୍ଟେମ୍ବର ୬ ତାରିଖ। ସେଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି କୋଠସାହି ଗାଁ ପୂରା ଉତ୍ସବମୁଖର ହୋଇ ନ ଥିବ ସତ, ସାତ ଝିଅ ପରେ ପୁଅଟିଏ ଜନ୍ମ ନେବାର ଖୁସିରେ ଫାଟି ପଡୁଥିବ କେଶବ ଜେନାଙ୍କ ପରିବାର। ହେଲେ, ଏହାର ୨୮ ବର୍ଷ ପରେ ସେହି ପୁଅକୁ ନେଇ ଖୁସିର ମେଳଣ ଖାଲି କେଶବଙ୍କ ଘେର ନୁହେଁ, ସାରା ଗାଁରେ ଲାଗିରହିଛି। ଏମିତି ଲାଗିରହିଛି ଯେ ଗର୍ବରେ କୁଣ୍ଢେମୋଟ ହୋଇଯାଉଛି ସମସ୍ତଙ୍କ ଛାତି। ସମସ୍ତେ ଏବେ କହୁଛନ୍ତି, ସେ ହେଉଛି ‘କୋଠସାହିର କୋହିନୁର’।
ସେହି ପୁଅ ଆଉ କେହି ନୁହନ୍ତି, ନିକଟରେ ଚୀନ୍ର ହାଙ୍ଗ୍ଝୌ ଏସିଆନ୍ ଗେମ୍ସରେ ଜାଭ୍ଲିନ୍ରେ ରୌପ୍ୟ ପଦକ ହାସଲ କରିଥିବା କିଶୋର ଜେନା। କେଶବ ଓ ହରପ୍ରିୟା ଜେନାଙ୍କ ପୁଅ କିଶୋର। ଏକ ଚାଷୀବନ୍ଦୀ ପରିବାରରେ ଜନ୍ମଗ୍ରହଣ କରିଥିବାରୁ କିଶୋରଙ୍କ ପିଲାଦିନ ଥିଲା ଅତ୍ୟନ୍ତ ସଂଘର୍ଷମୟ। ବ୍ରହ୍ମଗିରି ହାଇସ୍କୁଲ୍ରେ ସେ ଯେତେବେଳେ ୮ମ-୯ମ ଶ୍ରେଣୀରେ ପଢୁଥିଲେ, ସେହି ସମୟରେ ଖେଳକୁଦ ଆଡ଼କୁ ମନ ଢଳିଥିଲା କିଶୋରଙ୍କର। ହେଲେ, ସାତ ଝିଅ ବିଶିଷ୍ଟ ଏକ ବଡ଼ ପରିବାରର ବୋଝ। ବାପା କିଶୋରଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ପୁଅ ତାଙ୍କର ମନଦେଇ ପାଠପଢୁ, ଚାକିରି କରୁ। ପୁଅର ଭବିଷ୍ୟତ କଥା ଭାବି ରାତି ରାତି ଶୋଇ ପାରୁ ନ ଥିଲେ କେଶବ। ହେଲେ, ପୁଅ କି ବୁଝୁଥିଲା! ଦିନେ କିଶୋର ଖେଳିସାରି ଫେରିଥା’ନ୍ତି ଘରକୁ। ଦାଣ୍ଡ ଦୁଆରମୁହଁରେ ପହଞ୍ଚିବା ପରେ କାହିଁକି ପାଠେର ଧ୍ୟାନ ଦେଉନୁ ବୋଲି ପଚାରିକି ଗାଳିଦେଲେ କେଶବ। କିଶୋରଙ୍କ ପାଇଁ ଏହି ଗାଳି ବୋଧେ ଅସହ୍ୟ ଥିଲା। ସେ ଆଉ ଘର ଭିତରକୁ ନ ଯାଇ ଚାଲିଗଲେ ଗାଁ ପାଖ କାଣିଆ ନଈ କୂଳକୁ। ନଈକୁ ଡେଇଁ ପଡ଼ିବା ସହିତ ପାର୍ହୋଇ, ନଦୀବନ୍ଧ ଟପି ବେଶ୍ କିଛି ଦୂରକୁ ପଳାଇଲେ। ପରେ ବାପା କେଶବ ତାଙ୍କୁ ଖୋଜିପାଇ, ବୁଝାଇଶୁଝାଇ ଫେରାଇ ଆଣିଲେ ଘରକୁ। ସେବେଠୁ କେଶବ ଆଉ କେବେ ବି କିଶୋର ଓ ତାଙ୍କ କ୍ରୀଡ଼ା ପ୍ରତିଭା ମଧ୍ୟରେ ପାଚେରି ହୋଇନାହାନ୍ତି। ବରଂ ଯେତେବେଳେ ଯେଉଁ କ୍ରୀଡ଼ା ସରଞ୍ଜାମର ଆବଶ୍ୟକତା ପଡ଼ିଛି ସବୁ ଆଣି ଖଞ୍ଜି ଦେଇଛନ୍ତି।
ଅଷ୍ଟମ ଶ୍ରେଣୀରେ ପଢୁଥା’ନ୍ତି କିଶୋର। ସେହି ସମୟରେ ଯେତେବେଳେ ଜାଭ୍ଲିନ୍ ଥ୍ରୋ’ କଥା କେହି କେବେ ଭାବୁ ନ ଥିଲେ, ସ୍କୁଲ୍ କ୍ରୀଡ଼ାରେ ଜାଭ୍ଲିନ୍ େଥ୍ରା’ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ େସ। ଏହାପରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ସେ ଜାଭ୍ଲିନ୍ରେ ଶୀର୍ଷରେ ରହି ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ, ଜାଭ୍ଲିନ୍ରେ ଭଲ ପ୍ରଦର୍ଶନ କରୁଥିଲେ ବି କିଶୋରଙ୍କ ପ୍ରଥମ ପସନ୍ଦ ଥିଲା ଭଲିବଲ୍। ବ୍ରହ୍ମଗିରି ହାଇସ୍କୁଲ୍ରେ ଦଶମରେ ଉତ୍ତୀର୍ଣ୍ଣ ହେବାପରେ ତାଙ୍କ ବାପା ଆଶ୍ବସ୍ତ ହୋଇଥିଲେ। ଦଶମ ପରୀକ୍ଷା ପରେ କିଶୋରଙ୍କ ଲକ୍ଷ୍ୟ ଥିଲା ସେନାବାହିନୀରେ ଯୋଗଦେବେ। ଦେଶ ପାଇଁ ଲଢ଼ିବେ। ଏଥିପାଇଁ କମ୍ ସଂଘର୍ଷ କରିବାକୁ ପଡ଼ି ନ ଥିଲା ତାଙ୍କୁ। ଭୋର୍ ୩ଟାରୁ ଆରମ୍ଭ ହେଉଥିଲା କସରତମୟ ଜୀବନ। ୪ଟାରୁ ବ୍ରହ୍ମଗିରି ବ୍ଲକ୍ ଛକରେ ସାଇକେଲ୍ ରଖି ସେ ବ୍ଲକ୍ ଛକରୁ ସୁନାମୁହିଁ ପର୍ୟ୍ୟନ୍ତ ଦୌଡ଼ୁଥିଲେ, ସେଠୁ ପୁଣି ବ୍ଲକ୍ ଛକକୁ ଆସି ବ୍ରହ୍ମଗିରି କଲେଜ ପଡ଼ିଆକୁ ଭଲି ଅଭ୍ୟାସ ପାଇଁ ଯାଉଥିଲେ। ସକାଳ ୮ଟାରେ ଫେରି ପାଣିରେ ବତୁରା ସୋଲା, ଚୁଡ଼ାଚକଟା ଖାଇ ଶୋଇ ଯାଉଥିଲେ। ପୁଣି ଅପରାହ୍ଣ ୩ଟାରୁ କଲେଜ ପଡ଼ିଆ ଯାଇ ଅଭ୍ୟାସ କରୁଥିଲେ।
ଚାଷବାସ କରି ୧୦ ପ୍ରାଣୀ ପରିବାର ଚଳାଇବା କେଶବଙ୍କ ପକ୍ଷେ ସହଜ ନ ଥିଲା। ଧୀରେ ଧୀରେ ଝିଅମାନେ ବଡ଼ ହୋଇ ବାପାଙ୍କୁ ରୋଜଗାରରେ ସହଯୋଗର ହାତ ବଢ଼ାଇଲେ। କେଶବ ବାପାଙ୍କର ଅବସ୍ଥା ଦେଖି ପାଠ ପଢ଼ିବା ସହ ଚାକିରି ଖଣ୍ଡେ ପାଇଁ ଦୌଡ଼ ଅଭ୍ୟାସ କଲେ। ଦଶମ ପରୀକ୍ଷା +୨ ବିଜ୍ଞାନ ପଢ଼ିଥିଲେ ହେଁ ପରେ ଅର୍ଥାଭାବରୁ ସେ ବାଧ୍ୟ ହୋଇ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଆର୍ଟସ ପଢ଼ିଲେ। ସେନାବାହିନୀରେ ଭର୍ତି ହେବା ପାଇଁ ବାରମ୍ବାର ପରୀକ୍ଷା ଦେଉଥିଲେ ହେଁ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ। କିଶୋରଙ୍କ ଫିଟ୍ନେସ୍ ଦେଖି ତାଙ୍କୁ କ୍ରୀଡ଼ା ହଷ୍ଟେଲ୍ରେ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ କଲେଜର ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ। ଅଧ୍ୟାପକଙ୍କ ପରାମର୍ଶରେ ସେ କଳିଙ୍ଗ ଷ୍ଟାଡିୟମ୍ ଯାଇ ସେଠାରେ ଭଲିବଲ୍ ଅଭ୍ୟାସ ଆରମ୍ଭ କରିଦେଲେ। ସେଠାରେ ମଧ୍ୟ ତାଙ୍କ ଫିଟ୍ନେସ୍ କୋଚ୍ଙ୍କୁ ଆକର୍ଷିତ କରିଥିଲା। ତେଣୁ ଦଳଗତ କ୍ରୀଡ଼ା ଅପେକ୍ଷା ତାଙ୍କୁ ବ୍ୟକ୍ତିଗତ କ୍ରୀଡ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ କୋଚ୍। ଜାଭଲିନ୍ ପାଇଁ ଦରକାର ଥିଲା ୨୮ ହଜାର ଟଙ୍କା ଏବଂ ଜୋତା ପାଇଁ ୧୪ ହଜାର। କିଶୋର ବାପାଙ୍କୁ ଫୋନ୍ କଲେ। ପାଖରେ ଅର୍ଥ ନ ଥିଲେ ବି ଯୋଗାଡ଼ କରି ପୁଅକୁ ଧରାଇ ଦେଇଥିଲେ ବାପା କେଶବ। ବାପାଙ୍କ ହାତରୁ ନେଲାବେଳେ ସେହି ଟଙ୍କାରେ କେତେ ନିଗିଡ଼ା ଝାଳ ମିଶିଛି ତାହା ଠିକ୍ ଅନୁଭବ କରିଥିଲେ ସେ।
ହେଲେ, ସେହି ଅନୁଭବ ସତେ ଯେମିତି ତାଙ୍କୁ ଆଗକୁ ଆଗକୁ ଯିବା ପାଇଁ ବାଟ କଢ଼ାଇ ନେଇଥିଲା। ଶେଷରେ, ବାରବାଟୀରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ। କିଶୋରଙ୍କ ବନ୍ଧୁ ରାକେଶ କୁମାର ଜେନାଙ୍କ କହିବା ମୁତାବକ, ‘ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ସେଠାରେ ସ୍ବର୍ଣ୍ଣ ପଦକ ଜିତିବା ପରେ କୋଠସାହି ଉତ୍ସବମୁଖର ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ କିଶୋରକୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଏହାପରେ କିଶୋର ଆଉ ପଛକୁ ଫେରିନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ଗାଁ ପାଇଁ ଗୌରବ ଆଣିଛି।’
ଏହା ମଧ୍ୟରେ ସିଆଇଏସ୍ଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ)ରେ ଯୋଗ ଦେଇସାରିଥିଲେ କିଶୋର। ବାପାଙ୍କୁ ନିଜ ପ୍ରଥମ ଦରମା ୩୫ ହଜାର ଟଙ୍କା ପଠାଇଥିଲେ। ତା’ ସହିତ ନିଜ ଖେଳ ପ୍ରତିଭାକୁ ବି ବଜାୟ ରଖିଥିଲେ। ରାକେଶ କୁହନ୍ତି, ‘ରିଙ୍କୁ (କିଶୋର ଜେନା) ଯେବେଠୁ ପଦକ ଜିତିଛି ଓ ବୁଦାଫେଷ୍ଟରେ ଜାଭ୍ଲିନ୍ ପ୍ରତିଯୋଗିତାରେ ଭାଗ ନେଇଛି ସେବେଠୁ ଆଖପାଖ ଗାଁ’ର ପ୍ରାୟ ୧୨-୧୫ ଜଣ ପିଲା ଜାଭ୍ଲିନ୍ କିଣି ଅଭ୍ୟାସ କରୁଛନ୍ତି। ଏବେ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିବା ପରେ ତ ବହୁ ପିଲାଙ୍କ ହାତରେ ଏବେ ଜାଭ୍ଲିନ୍।’ ପୁଅର ସଫଳତାରେ ଲୁହ ଝରି ଆସୁଥାଏ ମା’ ହରପ୍ରିୟାଙ୍କ ଆଖିରୁ, ଯିଏ ଦିନେ ପୁଅଟିଏ ପାଇବାକୁ ଦିଅଁ ଦେବତାଙ୍କ ପାଖେ ମାନସିକ କରିଥିଲେ। ହରପ୍ରିୟା କୁହନ୍ତି, ‘ତାଙ୍କ ପୁଅ କୋଉଠିକି ଯାଇଛି ସେ ଜାଣନ୍ତିନାହିଁ। କିନ୍ତୁ ସେ ଯେ ବଡ଼ ଖେଳ ଖେଳି ପୁରସ୍କାର ପାଇଛି ତାହା ତାଙ୍କ ପାଇଁ ଢେର୍। ପ୍ରଭୁଙ୍କ ଆଶୀର୍ବାଦରେ ମୁଁ ପୁଅ ପାଇଛି। ପୁଅ ହାରିଲେ କି ଜିତିଲେ ମୁଁ ଯେତିକି ଖୁସି ହୁଏନି, ତାକୁ ଥରୁଟିଏ ଦେଖିଦେଲେ ମୋତେ ସ୍ବର୍ଗସୁଖ ମିଳିଯାଏ।’ ତାଙ୍କର ଦୁଃଖ ଯେ ସେ ଦୁଇ ବର୍ଷ ହେଲା ପୁଅକୁ ଦେଖିନାହାନ୍ତି। କିନ୍ତୁ, ଦେଶ ପାଇଁ ଖେଳୁଥିବାରୁ ନିଜ ମନକୁ ବୁଝାଇ ଦେଇଛନ୍ତି।