ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଜାପାନର କୁମାମୋଟୋ ଅଞ୍ଚଳରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ କ୍ୟୁଶୁ ଦ୍ୱୀପରେ ଅନୁଭୂତ ହୋଇଥିବା ୭.୧ ତୀବ୍ରତାର ଏହି ବିନାଶକାରୀ ଭୂମିକମ୍ପ ଯୋଗୁଁ ଅନେକ ଘରଦ୍ୱାର ଭାଙ୍ଗି ଚୁରମାର ହୋଇଯିବା ସହ ସପିଂ ମଲରେ ବିସ୍ଫୋରଣ ଏବଂ କାରଖାନାର ଚିମନି ଭୁଶୁଡି ପଡିଛି । କୁମାମୋଟୋ ପ୍ରାନ୍ତୀୟ ସରକାରଙ୍କ ସୂଚନା ଅନୁଯାୟୀ, ୩୪ ଜଣଙ୍କର ମୃତ୍ୟୁ ସୁନିଶ୍ଚିତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁର କାରଣ ଯାଞ୍ଚ କରାଯାଉଛି । ଏହି ବିପର୍ଯ୍ୟୟରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେଉଁଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଶେଷ କରି କାଶିମା ସହରର ଆଓନ ମଲ ସପିଂ ସେଣ୍ଟରରେ ଭୁମିକମ୍ପ ସମୟରେ ହଜାର ହଜାର ଲୋକ ଥିବା ବେଳେ ମଲର ଦ୍ୱିତୀୟ ମହଲା ଭୁଶୁଡି ପଡିବାରୁ ଅନେକ ଲୋକ ଫସି ରହିଥିଲେ । ସେଠାରୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।










