ଯାଜପୁର : ସୁକିନ୍ଦା ଖଣି ଉପତ୍ୟକା ଅନ୍ତର୍ଗତ କାଳିଆପାଣି ଅଞ୍ଚଳରେ ଥିବା IMFA (ଇମ୍ଫା) ଖଣିରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଲୋଡିଙ୍ଗ ଶ୍ରମିକମାନଙ୍କ ପ୍ରବେଶକୁ ନିଷେଧ କରିଛନ୍ତି ଖଣି କର୍ତ୍ତୃପକ୍ଷ । ଫଳରେ ଏହି ବିପତ୍ତି ସମୟରେ ନିଜ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସେଠାରେ କାର୍ଯ୍ୟରତ ଲୋଡିଙ୍ଗ ଶ୍ରମିକ ।
ସାରା ବିଶ୍ୱରେ ମହାମାରୀ COVID-19 କାୟା ବିସ୍ତାର କରିଚାଲିଥିବା ବେଳେ ଖଣି କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତି ଦୁର୍ଭାଗ୍ୟଜନକ ! ଆଜି ଦିନ ତମାମ ଖଣିରେ କାମ କରୁଥିବା ଶ୍ରମିକମାନେ ଖଣିର ମୁଖ୍ୟ ଫାଟକ ଠାରେ ଆନ୍ଦୋଳନ ଜାରି ରଖିଥିଲେ । ଏଭଳି ନିଷ୍ପତି ଶ୍ରମିକ ମାନଙ୍କ ମନରେ ନିଜର ଜୀବିକା ଉପରେ ଭୟର ବାତାବରଣ ସୃଷ୍ଟି କରିଛି ।
ବହୁ ବର୍ଷ ଧରି ସେଠାରେ କାର୍ଯ୍ୟ କରି ଆସୁଥିବା ଶ୍ରମିକମାନଙ୍କୁ ହଟାଇ ମେସିନ ସାହାଯ୍ୟରେ କାର୍ଯ୍ୟ ଚାଲୁ ରଖିବାକୁ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ପତି ନେଇଥିବା ଅଭିଯୋଗ ହୋଇଛି । ତେଣୁ ଶ୍ରମିକମାନେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଏହା ଉପରେ ଦୃଷ୍ଟି ଦେବାକୁ ବିନମ୍ର ନିବେଦନ କରିଛନ୍ତି ।