ଅମରାବତୀ: ମହାରାଷ୍ଟ୍ରରେ ବଢୁଛି ରାଜନୈତିକ ତାତି । ଏନସିପି ନେତା ଅଜିତ ପାଓ୍ବାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାର ଗତକାଲି(ରବିବାର) ମୁହଁ ଖୋଲିଛନ୍ତି ।
ସେ କହିଛନ୍ତି, “ଏନେଇ ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ଚର୍ଚ୍ଚା ହୋଇନାହିଁ । ଯଦି କେହି ଏନସିପିରୁ ଅଲଗା ହେବାକୁ ଚାହୁଁଛନ୍ତି, ଏହା ତାଙ୍କର ରଣନିତୀ ଅଟେ ।” ଶରଦଙ୍କ ଏହି ବୟାନ ତାଙ୍କ ପୁତୁରା ଅଜିତକୁ ନେଇ ବୋଲି ଚର୍ଚ୍ଚା ହେଉଛି ।
ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ଆମକୁ ଏହା ବିରୋଧରେ ଛିଡା ହେବାକୁ ପଡେ ତାହେଲେ ଆମେ ତାହା ବି କରିବୁ । ବର୍ତ୍ତମାନ ସୁଦ୍ଧା ଦଳରେ କୌଣସି ଆଲୋଚନା ହୋଇନଥିବାରୁ ଏ ବିଷୟରେ କିଛି କହିବା ଠିକ ହେବ ନାହିଁ ।” ମହା ବିକାଶ ଅଘାଡି ଦଳ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ନା ନାହିଁ ? ଏହି ପ୍ରଶ୍ନର ଉତ୍ତରରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି,” ଆଜି ବି ଆମେ ମହା ବିକାଶ ଅଘାଡିର ଅଂଶ ଅଟୁ ଏବଂ ଏକାଠି କାମ କରିବାକୁ ଚାହୁଁଛୁ ।
ଏକାକି ରହିବା ଇଚ୍ଥା ସର୍ବଦା ଯଥେଷ୍ଟ ନୁହେଁ । ଆସନ ବଣ୍ଟନରେ ଅସୁବିଧା ହେବ କି ନାହିଁ..ଏସବୁ ବିଷୟରେ ଏପର୍ୟ୍ୟନ୍ତ ଆଲୋଚନା ହୋଇନାହିଁ । ମୁଁ ଆପଣଙ୍କୁ ଏ ବିଷୟରେ କିପରି କହିବି ?”