ନୂଆଦିଲ୍ଲୀ: ସୋମବାରଠାରୁ ଦିଲ୍ଲୀ ବିଧାନସଭାର ତିନିଦିନିଆ ଅଧିବେଶନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ବିଜେପି ବିଧାୟକମାନେ ଅକ୍ସିଜେନ୍ ସିଲିଣ୍ଡର ସହ ଗୃହକୁ ପ୍ରବେଶ କରିଥିବା ଦୃଶ୍ୟ ବେଶ ହାସ୍ୟରୋଳ ସୃଷ୍ଟି କରିଥିଲା । ଦିଲ୍ଲୀ ବାୟୂମଣ୍ଡଳକୁ ପ୍ରଦୂଷଣମୂକ୍ତ କରିବାପରେ କ୍ଷମତାସୀନ ଆପ୍ (ଆମ୍ ଆଦ୍ମୀ ପାର୍ଟି) ବିଫଳ ହୋଇଥିବାରୁ ସେମାନେ ଜୀବନ ବଞ୍ଚାଇବାକୁ ସାଙ୍ଗରେ ଅକ୍ସିଜେନ୍ ସିଲିଣ୍ଡର ଆଣିଥିବା ବିଜେପି ବିଧାୟକମାନେ ସଫେଇ ଦେଇଛନ୍ତି । ବିଜେପି ବିଧାୟକଙ୍କ ଏତାଦୃଶ ଆଚରଣରେ ବାଚସ୍ପତି ରାମନିବାସ ଗୋୟଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତୁରନ୍ତ ସିଲିଣ୍ଡରଗୁଡିକୁ ଗୃହ ବାହାରେ ରଖିବାକୁ ସେ ସଂପୃକ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ସତ୍ତ୍ୱେ ବିଧାୟକମାନେ କିପରି ଗୃହକୁ ସିଲିଣ୍ଡର ନେଇ ପ୍ରବେଶ କଲେ, ସେଥିନେଇ ମଧ୍ୟ ଗୋୟଲ ବିରକ୍ତିଭାବ ପ୍ରକାଶ କରିବା ସହ ସିକ୍ୟୁରିଟୀ ମୁଖ୍ୟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।