28.7 C
Bhubaneswar
Friday, April 10, 2026
Homeଓଡିଶାବେଆଇନ ଖଣି ଖନନ ଏବଂ ଅମାନବୀୟ ବିସ୍ଥାପନ ବନ୍ଦ କର

ବେଆଇନ ଖଣି ଖନନ ଏବଂ ଅମାନବୀୟ ବିସ୍ଥାପନ ବନ୍ଦ କର

ସିଜିମାଳିରେ ଆଦିବାସୀଙ୍କ ଉପରେ ନିର୍ମମ ପୁଲିସ୍ ଦମନ,
୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କଲେ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସ୍ ଦମନ, ନିଷେଧାଦେଶ ଜାରି ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନ ନେଇ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୧୦ ଏପ୍ରିଲରେ ଚାରିଟି ବାମପନ୍ଥୀ ଦଳର ମିଳିତ ନେତୃତ୍ୱ ସିଜିମାଳି ଅଞ୍ଚଳକୁ ଗସ୍ତ କରିଛନ୍ତି। ସି.ପି.ଆଇ.ପକ୍ଷରୁ ରାଜ୍ୟ ସଂପାଦକ ଡ଼ଃ ପ୍ରଶାନ୍ତ ମିଶ୍ର, ସି.ପି.ଆଇ.(ଏମ୍‌) ପକ୍ଷରୁ ରାଜ୍ୟ ସଂପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି.ପି.ଆଇ.(ଏମ୍‌-ଏଲ୍‌)- ଲିବେରେସନ ପକ୍ଷରୁ ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସମେତ ସି.ପି.ଆଇ.ର ରାଜ୍ୟ ସହ ସଂପାଦକ ଜୟନ୍ତ ଦାସ, ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ସି.ପି.ଆଇ.(ଏମ୍‌) ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ବଦ୍ରି ନାରାୟଣ ଦାଶ, ଆଦିବାସୀ ନେତା ଚାମ୍ବୁରୁ ସୋରେନ, ସି.ପି.ଆଇ.(ଏମ୍‌-ଏଲ୍‌)-ଲିବେରେସନ ରାଜ୍ୟ ନେତା ତିରୁପତି ଗମାଙ୍ଗ, ମହେନ୍ଦ୍ର ପରିଡ଼ା ଓ ଶ୍ରୀ ଅଶୋକ ପ୍ରଧାନ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଏହି ମିଳିତ ପ୍ରତିନିଧି ଦଳରେ ସାମିଲ ଅଛନ୍ତି। ଏହି ଗସ୍ତ ସମୟରେ ବାମପନ୍ଥୀ ଦଳମାନଙ୍କର ନେତୃବୃନ୍ଦ ସ୍ଥାନୀୟ ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମରେ ଆଦିବାସୀ ଲୋକମାନଙ୍କ ସହ ସାକ୍ଷାତ କରିଛନ୍ତି, ପୀଡ଼ିତ ପରିବାରମାନଙ୍କ ଅଭିଯୋଗ ଶୁଣିଛନ୍ତି ଓ ଘଟଣାବଳୀର ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରି ଫେରିଛନ୍ତି। ପ୍ରତିନିଧି ଦଳ ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମକୁ ଯାଇ ସ୍ଥାନୀୟ ଆଦିବାସୀ ଲୋକମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଏବଂ ପୀଡ଼ିତ ପରିବାରମାନଙ୍କ ଅଭିଯୋଗ ସବୁ ଶୁଣିଥିଲେ। ପ୍ରତିନିଧି ଦଳ ଘଟଣାବଳୀର ପ୍ରକୃତ ସତ୍ୟବସ୍ଥା ଅନୁସନ୍ଧାନ କରି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଚିନ୍ତାବ୍ୟକ୍ତ କରିଛି।

ପ୍ରତିନିଧି ଦଳଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ୭ ଏପ୍ରିଲ ୨୦୨୬ର ପ୍ରଭାତ ପ୍ରାୟ ଭୋର ୩ଟା ସମୟରେ ପୋଲିସ୍ ଦଳ କଣ୍ଟାମାଳ ଗ୍ରାମକୁ ଘେରାଉ କରିଥିଲା, ଗ୍ରାମର ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଥିଲା ଏବଂ ଘରକୁ ପ୍ରବେଶ କରି ଲୁହ ବୁହା ବାଷ୍ପ ଗ୍ୟାସ୍ ପ୍ରୟୋଗ ଓ ବ୍ଲାଙ୍କ ଫାୟାରିଂ କରାଯାଇଥିଲା ବୋଲି ଗୁରୁତର ଅଭିଯୋଗ ମିଳିଛି। ଏହି କାର୍ଯ୍ୟକଳାପ ସମୟରେ ପୁରୁଷ ଓ ମହିଳା ମାନଙ୍କୁ ମାଡ଼ ମରାଯାଇଥିଲା। ଲୁହ ବୁହା ବାଷ୍ପଗ୍ୟାସ୍ ପ୍ରଭାବରେ ଗୃହପାଳିତ ପଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ଘଟଣା ସ୍ଥାନୀୟ ବାସିନ୍ଦା ଏବଂ ଆଦିବାସୀ ଲୋକମାନଙ୍କ ମଧ୍ୟରେ ଭୟ, ଆତଙ୍କ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି ଏବଂ ମୌଳିକ ଅଧିକାର ଉଲ୍ଲଂଘନ ନେଇ ଗୁରୁତର ପ୍ରଶ୍ନ ଉଠୁଛି। ପ୍ରତିନିଧି ଦଳ ଜାଣିବାକୁ ପାଇଛି ଯେ ସୁଙ୍ଗେର ଗ୍ରାମ ପଞ୍ଚାୟତରେ ଖଣି ସମ୍ପର୍କିତ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଅନୁସାରେ ନିଷେଧାଦେଶ ଜାରି କରାଯାଇଛି ଏବଂ ରାସ୍ତା ନିକଟରେ ୪ଜଣ ଠାରୁ ଅଧିକ ଲୋକ ଏକତ୍ର ହେବାକୁ ନିଷେଧ କରାଯାଇଛି। ଏହି ପ୍ରକାର ନିଷେଧାଦେଶ ଆଦିବାସୀ ସମାଜର ସାମୂହିକ ଜୀବନ ଓ ଦୈନନ୍ଦିନ ଜୀବିକାକୁ ଗୁରୁତର ଭାବରେ ବାଧା ପହଞ୍ଚାଉଛି। ଚାରିଟି ବାମ ଦଳ ମତ ପ୍ରକାଶ କରିଛନ୍ତି ଯେ ଗ୍ରାମ ସଭାର ସମ୍ମତି ବିନା ସମ୍ବିଧାନର ପଞ୍ଚମ ସୂଚୀ ଅଞ୍ଚଳରେ ଖଣି ଓ ରାସ୍ତା ପ୍ରକଳ୍ପ ଆରମ୍ଭ କରାଯିବା ପେସା ଆଇନ – ୧୯୯୬ ଓ ଜଙ୍ଗଲ ଅଧିକାର ଆଇନ – ୨୦୦୬ର ସ୍ପଷ୍ଟ ଉଲ୍ଲଂଘନ ଅଟେ। ଏହି କାର୍ଯ୍ୟକଳାପ ଆଦିବାସୀଙ୍କ ଜମି, ଜଙ୍ଗଲ, ପାରମ୍ପରିକ ଜୀବିକା ଏବଂ ସଂସ୍କୃତିକୁ ଗୁରୁତର ସଙ୍କଟରେ ପକାଇ ଦେଇଛି ଏବଂ ବିସ୍ଥାପନର ଆତଙ୍କ ସୃଷ୍ଟି କରୁଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାରିଟି ବାମପନ୍ଥୀ ଦଳ ଜିଲ୍ଲା ପ୍ରଶାସନ ନିକଟରେ ତୁରନ୍ତ ନିଷେଧାଦେଶ ପ୍ରତ୍ୟାହାର କରିବା, ଜାଲିଆତି ଗ୍ରାମସଭା ରଦ୍ଦ କର, ପ୍ରକୃତ ଗ୍ରାମସଭା ସଂଗଠିତ କରିବା, ସମ୍ମତି ବିନା ଖଣି ଓ ରାସ୍ତା କାମ ବନ୍ଦ କରିବା, ଅତିରିକ୍ତ ପୋଲିସ୍ ବଳ ହଟାଇ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା, କଣ୍ଟାମାଳ ଘଟଣାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା, ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ସମସ୍ତ ନେତାଙ୍କୁ ନିଃସର୍ତ୍ତ ମୁକ୍ତି ଦିଆଯାଉ ଏବଂ “ପେସା” ଓ ଜଙ୍ଗଲ ଆଇନ କଡ଼ାକଡ଼ି ଭାବରେ ଲାଗୁ କରିବାକୁ ଦୃଢ ଭାବେ ଦାବି କରିଛନ୍ତି। ଏହି ସମସ୍ତ ଦାବିକୁ ଆଧାର କରି ଏକ ସ୍ମାରକପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କୁ ଦିଆଯିବ ଏବଂ ଭୁବନେଶ୍ୱର ଫେରି ଓଡ଼ିଶାର ମାନନୀୟ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବାମପନ୍ଥୀ ଦଳର ନେତାମାନେ ରାୟଗଡ଼ାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଚାରିଟି ବାମପନ୍ଥୀ ଦଳ ସ୍ପଷ୍ଟ କହିଛନ୍ତି ଯେ ଆଦିବାସୀଙ୍କ ଜମି, ଜଙ୍ଗଲ, ଜୀବିକା ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking