ଭୁବନେଶ୍ୱର: ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବରିଷ୍ଠ ଅଧିକାରୀ କହି ୩୦୦ରୁ ଅଧିକ ସରକାରୀ ଅଧିକାରୀ (ତହସିଲ, ଆରଟିଓ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟର ଅଫିସର)ଙ୍କୁ ଠକିଥିଲେ ଦୁଇ ଭାଇ । ହେଲେ ଛତ୍ରପୁରର ଉପଜିଲ୍ଲାପାଳଙ୍କୁ ଠକିବାକୁ ଇଦ୍ୟମ କରି ଏସଟିଏଫ୍ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ଥାନା ନିକଟସ୍ଥ ଦୋଳମଣ୍ଡପ ସାହିର ଦୁଇ ଭାଇ ତାରିଣିସେନ ମହାପାତ୍ର (୩୦) ଏବଂ ବ୍ରହ୍ମଶଙ୍କର ମହାପାତ୍ର (୨୭) । ସୂଚନା ମୁତାବକ ତାରିଣିସେନ ଏବଂ ବ୍ରହ୍ମଶଙ୍କର ପିଲାବେଳୁ ହିଁ ବିଳାଶପୂର୍ଣ୍ଣ ଜୀବନ ବଞ୍ଚିବାକୁ ଭଲ ପାଉଥିଲେ । ତେଣୁ ସେମାନେ ରହୁଥିବା ପଡ଼ୋଶୀଙ୍କ ଠାରୁ ଟଙ୍କା ଧାର ନେଇ ଅୟସ କରୁଥିଲେ । ହେଲେ ଯେତେବେଳେ ଧାର ଦେଇଥିବା ଲୋକ ଧାର ଟଙ୍କା ମାଗିଥିଲେ ସେମାନ ଜାଗାଛାଡ଼ି ଚାଲିଯାଇଥିଲେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି । ସେଠାରେ ୧୦ ହଜାର ଟଙ୍କାରେ ଭଡ଼ାଘରେ ରହିଲେ ଏବଂ ସେଠାକାର ‘ଉପକାର’ ନାମକ ଏନ୍ଜିଓରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ହେଲେ ବିଗତ ଏକ ବର୍ଷ ହେବ ଉକ୍ତ ଏନ୍ଜିଓ ସଂସ୍ଥାରେ କାମ ହୋଇନଥିଲା । ତେଣୁ ସେମାନେ ଆରମ୍ଭ କରିଥିଲେ ଠକେଇର ନୂତନ ଉପାୟ ।
ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ନଥିଲେ ହେଁ ସେମାନେ କମ୍ପ୍ୟୁଟରରେ ବେଶ ଅଧିକ କାମ ଯାଣିଥିଲେ । ତେଣୁ ସେମାନେ ଶେଷ କିଛି ମାସରେ ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ହୋଇଥିବା ଇଡ଼ି ଚଢ଼ଉର ଖବର ବାହାର କରିଥିଲେ । ତା’ ମୁତାବକ ସେମାନେ ଇଡିର କିଛି ଜାଲି ଡକ୍ୟୁମେଣ୍ଟ, ଲେଟର ହେଡ, ଲୋଗୋ ଏବଂ ନିଜ ପାଇଁ ଜାଲ ପରିଚୟ ପତ୍ର ନିର୍ମାଣ କରିଥିଲେ । ଝାଡ଼ଖଣ୍ଡ ଏବଂ ଆଉ ଗୋଟାଏ ଓଡ଼ିଶା ନମ୍ବର କରିଥିଲେ । ସେହି ନମ୍ବରର ଟ୍ରୁକଲରେ ଏବଂ ହ୍ୱାଟସଅପରେ ସଞ୍ଜୟ ମିଶ୍ର ଇଡି ବୋଲି ସେଭ କରିଥିଲେ । ସେହି ନମ୍ବରରୁ ପାଖାପଖି ୩୪୦ ଜଣ ସରକାରୀ ଅଧିକାରୀଙ୍କୁ ଫୋନ କରିଥିଲେ ଏବଂ ଯେଉଁମାନେ ଫୋନ କଲ ରିସିଭି କରିନଥାନ୍ତି ସେମାନଙ୍କୁ ମେସେଜ ଏବଂ ହ୍ୱାଟସଅପରେ ମେସେଜ କରିଥାନ୍ତି ।“ମୁଁ ଇଡିର ଡିରେକ୍ଟର ସଞ୍ଜୟ ମିଶ୍ର । ଆପଣ ଫୋନ ରିସିଭି କରୁନାହାନ୍ତି ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ କଲ, ତୁରନ୍ତ କଲ କରନ୍ତୁ ଅଥବା ମୁଁ ଭିଜିଲାନ୍ସର ଅଧିକାରୀମାନଙ୍କୁ ରୋକି ପାରିବି ନାହିଁ ” । ଏହି ଭଳି ଧମକାଇ ସରକାରୀ ଅଧିକାରୀଙ୍କ ଠାରୁ ଫୋନ୍-ପେ ଏବଂ ଗୁଗଲ-ପେ ମାଧ୍ୟମରେ ଟଙ୍କା ଠକି ନେଉଥିଲେ ଏବଂ ଟଙ୍କା ପାଇଲା ପରେ ସେମାନଙ୍କୁ ଇଡି ଏବଂ ଭିଜିଲାନ୍ସର କ୍ଲିଅରାନ୍ସ ଲେଟର ଦେଉଥିଲେ । ଶେଷରେ ଛତ୍ରପୁର ଉପ-ଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କୁ ଏହି ଭଳି ଫୋନ କଲ ଗଲାପରେ ସେ ଶନିବାର ଏସଟିଏଫରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏସଟିଏଫ୍ ତଦନ୍ତ ଆରମ୍ଭ କରି ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ ଗିରଫ କରିଛି । ଏମାନଙ୍କୁ ଗିରଫ କରିବା ପରେ ୧୬ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଏସଟିଏଫ ସୂଚନା ଦେଇଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପରେ ସେମାଙ୍କ ପାଖରୁ ଗୋଟାଏ ଲେନୋଭ ଲ୍ୟାପଟପ୍, ଲେନୋଭ ମନିଟର, ବ୍ୟାଙ୍କ ପାସବୁକ, ନକଲି ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଏବଂ ୫ଟି ମୋବାଇଲ ଇଡିଜବତ କରିଛି ।