ଜୋହାନ୍ସବଗ: ସାଉଥ୍ ଆଫ୍ରିକାର ଅନ୍ୟତମ ପ୍ରମୁଖ ପେସର୍ ଡେଲ୍ ଷ୍ଟେନ୍ ମଙ୍ଗଳବାର କ୍ରିକେଟ୍କୁ ଗୁଡବାଏ କହିଛନ୍ତି । ଏଥିସହ ଦୀର୍ଘ ୧୬ ବର୍ଷର ଏକ ଚମକପ୍ରଦ କ୍ୟାରିୟର୍ରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । କ୍ରିକେଟ୍ଠାରୁ କିଛି ସମୟ ପାଇଁ ଦୂରେଇ ରହିବା ସକାଶେ ଆଇପିଏଲ୍ର ଚତୁର୍ଦ୍ଦଶ ସଂସ୍କରଣରୁ ଓହରିଯାଇଥିବା ଷ୍ଟେନ୍ ଗତ ବର୍ଷ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିଲେ । ସେତେବେଳେ ସେ ଦେଶର ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍ ରହିବା ସହ ଆଇସିସି ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳର ସଦସ୍ୟ ମଧ୍ୟ ରହିଥିଲେ । ଶେଷ ଥର ପାଇଁ ଷ୍ଟେନ୍ ଗତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେହିପରି ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସ୍ଏଲ୍)ରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଶେଷ ଥର ପାଇଁ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଥିଲା । ନିଜର ଅବସର ସମ୍ପର୍କରେ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେବାକୁ ଯାଇ ଷ୍ଟେନ୍ ଦର୍ଶାଇଛନ୍ତି ଯେ ଦୀର୍ଘ ୨୦ ବର୍ଷ ଧରି ଟ୍ରେନିଂ, ମ୍ୟାଚ୍, ଯାତ୍ରା, ବିଜୟ, ପରାଜୟ, ଆହତ, ଖୁସି ଓ ଭ୍ରାତୃତ୍ୱଭାବ ସହ ଜଡ଼ିତ ରହିଆସିଛି ।
କ୍ରିକେଟ୍ରେ ସକ୍ରିୟ ଥିବା ସମୟରେ ଅନେକ ସ୍ମରଣୀୟ ଅନୁଭୂତି ରହିଛି । ଅନେକ ସାଥୀ ଖେଳାଳି ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ଧନ୍ୟବାଦ ଦେବାକୁ ଇଚ୍ଛା । କ୍ରିକେଟ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ ହେଁ ଆଜି ମୁଁ ଏହାଠାରୁ ଦୂରେଇ ଯାଉଛି । ଏହା ନିଶ୍ଚିତ ଭାବେ ଏକ କଷ୍ଟସାଧ୍ୟ ନିଷ୍ପତ୍ତି । କିନ୍ତୁ କ୍ରିକେଟ୍ରେ ଦୀର୍ଘ ଦୁଇ ଦଶନ୍ଧି ଧରି ସକ୍ରିୟ ରହିବାରେ ସହଯୋଗ କରିଥିବାରୁ ଏଥିପାଇଁ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ଦଳୀୟ ସାଥୀ, ସାମ୍ବାଦିକ ଓ ସର୍ବୋପରି ପ୍ରଶଂସକ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ଷ୍ଟେନ୍ ଦର୍ଶାଇଛନ୍ତି। ସାଉଥ୍ ଆଫ୍ରିକା କ୍ରିକେଟ୍ ଇତିହାସରେ ଅନ୍ୟତମ ପ୍ରମୁଖ ପେସର୍ ଭାବେ ପରିଗଣିତ ହେଉଥିବା ଷ୍ଟେନ୍ ତାଙ୍କ ଟେଷ୍ଟ୍ କ୍ୟାରିୟର୍ରେ ୯୩ଟି ମ୍ୟାଚ୍ ଖେଳିବା ସହ ୧୨୫ଟି ଦିନିକିଆ ଓ ୪୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
୨୦୦୪ ଡିସେମ୍ବର ୧୭ରେ ଷ୍ଟେନ୍ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବା ପରେ ଦିନିକିଆରେ ୧୯୬ଟି ଓ ଟି-୨୦ରେ ୬୪ଟି ୱିକେଟ୍ ନେଇପାରିଛନ୍ତି । କ୍ରିକେଟ୍ର ସମସ୍ତ ଫର୍ମାଟ୍ରେ ୨୬୫ଟି ମ୍ୟାଚ୍ ଖେଳି ୬୯୯ଟି ୱିକେଟ୍ ନେଇଥିବା ଷ୍ଟେନ୍ ବିଶ୍ୱର ପଞ୍ଚଦଶ ସର୍ବଶ୍ରେଷ୍ଠ ବୋଲର୍ ଭାବେ ପରିଗଣିତ ହୋଇଆସିଛନ୍ତି । ଟେଷ୍ଟ୍ କ୍ରିକେଟ୍ରେ ଦ୍ରୁତତମ ୪୦୦ ୱିକେଟ୍ ନେବାର ରେକର୍ଡ ଏବେ ବି ତାଙ୍କ ନାମରେ ରହିଛି । ଆହୁରି ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ଆଇସିସି ଟେଷ୍ଟ୍ ର୍ୟାଙ୍କିଙ୍ଗ୍ରେ ଏକ ନମ୍ବର ବୋଲର୍ ଭାବେ ଦୀର୍ଘ ୨୬୩ ସପ୍ତାହ ଧରି ରହି ରେକର୍ଡ କରିଛନ୍ତି । ଏହାଛଡ଼ା ଗତ ୨୦୦୮ରେ ସେ ଆଇସିସି ପକ୍ଷରୁ ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍ ଭାବେ ସମ୍ମାନିତ ହୋଇଥିଲେ ।