21.1 C
Bhubaneswar
Monday, November 18, 2024
Homeଓଡିଶା‘ଷ୍ଟେଟ୍ ହେଲ୍‌ଥ ଇଣ୍ଡେକ୍ସ’ : ୧୨ରୁ ୧୪ ନମ୍ବରକୁ ଖସିଲା ଓଡ଼ିଶା

‘ଷ୍ଟେଟ୍ ହେଲ୍‌ଥ ଇଣ୍ଡେକ୍ସ’ : ୧୨ରୁ ୧୪ ନମ୍ବରକୁ ଖସିଲା ଓଡ଼ିଶା

ଭୁବନେଶ୍ୱର:  ନିତି ଆୟୋଗ ପକ୍ଷରୁ ସୋମବାର ବର୍ଷ ୨୦୧୯-୨୦ ପାଇଁ ଷ୍ଟେଟ୍ ହେଲ୍‌ଥ ଇଣ୍ଡେକ୍ସ ରିପୋର୍ଟ ପ୍ରକାଶ ପାଇଛି । ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟେଟ୍ ହେଲ୍‌ଥ ଇଣ୍ଡେକ୍ସର ଏହି ଚତୁର୍ଥ ସଂସ୍କରଣ ରିପୋର୍ଟ ଉନ୍ମୋଚିତ ହୋଇଛି । ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ରାଙ୍କ୍ ପ୍ରଦାନ କରୁଥିବା ଏହି ସୂଚକାଙ୍କରେ କେରଳ ୧ ନମ୍ବର ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଓଡ଼ିଶା ଗତ ବର୍ଷ ତୁଳନାରେ ଦୁଇଟି ସ୍ଥାନ ପଛକୁ  ଘୁଞ୍ଚି ୧୪ତମ ସ୍ଥାନରେ ରହିଛି । ୧୯ ବଡ଼ ରାଜ୍ୟଙ୍କ ତାଲିକାରେ ଶୀର୍ଷରେ କେରଳ ରହିଥିବା ବେଳେ ପଛକୁ ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼, ହରିୟାଣା, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରାଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଓ ଉତ୍ତରପ୍ରଦେଶ ଆଦି ରାଜ୍ୟ ରହିଛନ୍ତି ।

ତେଲେଙ୍ଗାନା, ଗୁଜରାଟ, ପଞ୍ଜାବ ଏହି ତିନି ରାଜ୍ୟ ଗତବର୍ଷ ତୁଳନାରେ ଗୋଟିଏ ଲେଖାଏଁ ରାଙ୍କ ଉପରକୁ ଉଠିଥିବା ବେଳେ ଆସାମ ତିନୋଟି ସ୍ଥାନ ଉପରକୁ ଉଠିଛି । ସେହିଭଳି ୧୦ଟି ରାଜ୍ୟ ନିଜ ସ୍ଥାନରେ ସ୍ଥିର ରହିଥିବା ବେଳେ ଓଡ଼ିଶା ସମେତ ୫ଟି ରାଜ୍ୟର ମାନ୍ୟତା ହ୍ରାସ ପାଇଛି । ସେହିଭଳି ୮ ଛୋଟ ରାଜ୍ୟ ତାଲିକାରେ ମିଜୋରାମ ଶୀର୍ଷ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ୭ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦାଦ୍ରା ନଗର ହାବେଳି ଓ ଡାମନ ଡିୟୁ ଉପରେ ରହିଛି । ନିତି ଆୟୋଗ ଅନୁସାରେ ଷ୍ଟେଟ୍ ହେଲ୍‌ଥ ଇଣ୍ଡେକ୍ସ ପାଇଁ ୪ ରାଉଣ୍ଡର ସର୍ଭେ କରାଯାଇଥିଲା । ଯାହାକୁ ନେଇ ନମ୍ବର ଦିଆଯାଇଥିଲା ।

୪ଟି ଯାକ ରାଉଣ୍ଡରେ କେରଳ ୮୨.୨୦ ସ୍କୋର ସହ ଆଗରେ ରହିଥିଲା । ଏଥିସହ କେରଳ ଲଗାତାର ଚତୁର୍ଥ ଥର ପାଇଁ ଏହି ଇଣ୍ଡେକ୍ସରେ ଶୀର୍ଷ ସ୍ଥାନ ଅଧିଗ୍ରହଣ କରିଛି । ଅନ୍ୟପଟେ ୧୪ତମ ସ୍ଥାନରେ ଥିବା ଓଡ଼ିଶାର ସ୍କୋର ରହିଛି ୪୪.୩୧ । ଗତବର୍ଷ ଅର୍ଥାତ୍ ୨୦୧୮-୧୯ ସୂଚକାଙ୍କରେ ୪୪.୧୮ ସ୍କୋର ସହ ୧୨ତମ ସ୍ଥାନରେ ଥିଲା । ମାତ୍ର, ଚଳିତ ବର୍ଷ ସ୍କୋରରେ ୦.୧୩ ପଏଣ୍ଟ୍ ବୃଦ୍ଧି ଘଟିଥିଲେହେଁ ଓଡ଼ିଶା ଦୁଇଟି ସ୍ଥାନ ପଛକୁ ଖସିଆସିଛି । ୨୦୧୭-୧୮ରେ ଓଡ଼ିଶା ୧୬ତମ ଏବଂ ୨୦୧୫-୧୬ରେ ୧୮ତମ ସ୍ଥାନରେ ରହିଥିଲା । ଏହି ଇଣ୍ଡେକ୍ସରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନକୁ ଦେଖିଲେ ବଡ଼ ରାଜ୍ୟମାନଙ୍କ ଭିତରେ ତେଲେଙ୍ଗାନା ଏବଂ ଛୋଟ ରାଜ୍ୟମାନଙ୍କ ଭିତରେ ମିଜୋରାମ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି ।

ଉଭୟ ରାଜ୍ୟର ସ୍କୋର ଗତବର୍ଷ ତୁଳନାରେ ୪ ପଏଣ୍ଟରୁ ଅଧିକା ବଢ଼ିଛି । ଏହି ରାଉଣ୍ଡରେ ବଡ଼ ରାଜ୍ୟମାନଙ୍କ ଭିତରେ ପଶ୍ଚିମବଙ୍ଗ ଅଂଶଗ୍ରହଣ କରିନଥିବା ବେଳେ ଲଦାଖ ପାଇଁ କୌଣସି ତଥ୍ୟ ମିଳିନଥିବା ନିତି ଆୟୋଗ ଦର୍ଶାଇଛନ୍ତି । ଓଡ଼ିଶା ଦୁଇଟି ସ୍ଥାନ ତଳକୁ ଖସିବାରେ ମଧ୍ୟ ନିର୍ଦ୍ଦିଷ୍ଟ କାରଣ ରହିଛି । ରାଜ୍ୟରେ ଟିକାକରଣ ହାର ଏବଂ ଟିବି ରୋଗୀ ଚିହ୍ନଟ ହାର କମିଛି । ୨୦୧୯-୨୦ର ରାଜ୍ୟରେ କନ୍ୟା ସନ୍ତାନଙ୍କ ହାର ତୀବ୍ର ହ୍ରାସ ଘଟିଥିବା ନିତି ଆୟୋଗ ଉଲ୍ଲେଖ କରିଛନ୍ତି । ମାତୃ ମୃତ୍ୟୁ ହାରରେ ଓଡ଼ିଶା୧୮ ପଏଣ୍ଟ୍ ହରାଇଛି । ଏହି ବର୍ଗରେ ରାଜସ୍ଥାନର ସର୍ବାଧିକ ୨୪ ପଏଣ୍ଟ୍ ହରାଇଛି ।

ବିଭିନ୍ନ ଜିଲ୍ଲାରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟକାଳ ବଜାୟ ରଖିବାରେ ଓଡ଼ିଶା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ସିଡିଏମଓଙ୍କ କାର୍ଯ୍ୟକାଳ ହାର ୫.୨ ମାସକୁ ହ୍ରାସ ପାଇଛି । ସେହିଭଳି ରାଜ୍ୟରେ ସ୍ୱାସ୍ଥ୍ୟ ସଚିବ, ଏନ୍‌ଏଚ୍‌ଏମ ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ହାରହାରି କାର୍ଯ୍ୟକାଳ ମଧ୍ୟ ୧୯.୫୦ ମାସରୁ ୧୯.୩୫ ମାସକୁ ହ୍ରାସ ପାଇଛି । ଏନ୍‌ଏଚ୍‌ଏମ ଫଣ୍ଡର କାର୍ଯ୍ୟାନ୍ୱୟନ କରିବାରେ ଓଡ଼ିଶା ଖରାପ ପ୍ରଦର୍ଶନ କରିଛି । ରାଜ୍ୟରେ ନର୍ସ, ମେଡ଼ିକାଲ ଅଫିସର ଏବଂ ବିଶେଷଜ୍ଞଙ୍କ ଅଭାବ ରହିଛି । ସେହିଭଲି ଫାଷ୍ଟ ରେଫରାଲ ୟୁନିଟ୍ ସଂଖ୍ୟାରେ କୌଣସି ବୃଦ୍ଧି ହୋଇନାହିଁ । ୧୦୦ ପ୍ରତିଶତ ରହିବା ଜାଗାରେ ଓଡ଼ିଶାରେ ମାତ୍ର ୬୧ ପ୍ରତିଶତ ଫାଷ୍ଟ ରେଫରାଲ ୟୁନିଟ୍ ରହିଛି । ତେବେ କାୟାକଳ୍ପ ଯୋଜନାରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking