ମୁମ୍ବାଇ: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା ସମୟରେ କରୋନା ସ୍ଥିତିର ସମୀକ୍ଷା କରିବା ସହ ତୈଳ ଦର ବୃଦ୍ଧି ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ । ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ଏହା ଉପରେ ପ୍ରତିକ୍ରିୟା ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ତୈଳ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ କହିଛନ୍ତି ଉଦ୍ଧବ ଠାକରେ । ତାଙ୍କ କହିବା ମୁତାବକ, ମୁମ୍ବାଇରେ ଗୋଟିଏ ଲିଟର ଡିଜେଲ ମୂଲ୍ୟରେ ୨୪.୩୮ ଟଙ୍କା କେନ୍ଦ୍ର ପାଇଁ ଏବଂ ୨୨.୩୭ ଟଙ୍କା ରାଜ୍ୟ ପାଇଁ ରହିଛି । ପେଟ୍ରୋଲ ମୂଲ୍ୟରେ ୩୧.୫୮ ପଇସା ହେଉଛି କେନ୍ଦ୍ରୀୟ ଟ୍ୟାକ୍ସ ଏବଂ ୩୨.୫୫ ପଇସା ହେଉଛି ରାଜ୍ୟ ଟ୍ୟାକ୍ସ ।
ତେଣୁ ରାଜ୍ୟ ହେତୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେଉଥିବା କହିବା ଠିକ ନୁହେଁ । ତୈଳ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ । ତୈଳ ମୂଲ୍ୟ ବୃଦ୍ଧି ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବା ଜରୁରୀ । ଯେପରି ନଭେମ୍ବର ମାସରେ କେନ୍ଦ୍ର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ପେଟ୍ରୋଲ-ଡିଜେଲ, ପିଏନଜି, ସିଏନଜି ମୂଲ୍ୟ ବୃଦ୍ଧିରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଘେରୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭାଟ୍ ହ୍ରାସ କରିବାକୁ ନିବେଦନ କରିଛନ୍ତି ।