ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା । ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆଠଗଡ ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ମହାନଦୀ ସାପୁଆ ନଦୀର ବନ୍ଧ ଗୁଡିକ ଧୀରେ ଧୀରେ ଦୁର୍ବଳ ହୋଇ ପଡିଛି । ଏହାର ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନିଆଯାଇଛି । ଏବଂ ୨୦୨୪ ନିର୍ବାଚନ ପରଠାରୁ ଅଦ୍ୟାବଧି କଟକ ଜିଲ୍ଲାର କେଉଁ ନଦୀବନ୍ଧ ପାଇଁ କେତେ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି । ରଣେନ୍ଦ୍ର ପ୍ରତାପଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ମହାନଦୀ ଓ ସାପୁଆ ନଦୀର ସଙ୍କୁଚିତ ଏବଂ ଦୁର୍ବଳ ହୋଇଥିବା ନଦୀବନ୍ଧ ଗୁଡିକର ସର୍ବେକ୍ଷଣ କରି ପର୍ଯ୍ୟାୟ କ୍ରମେ ଏହାର ସୁଦୃଢୀକରଣ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୪ ନିର୍ବାଚନ ପରଠୁ କଟକର ବିଭିନ୍ନ ନଦୀବନ୍ଧ ଗୁଡିକର ସୁରକ୍ଷା ପାଇଁ ଏଯାଏଁ ୧୧୭ ଗୋଟି କାର୍ଯ୍ୟ ୭୮୮୧.୫୧ ଲକ୍ଷ ଟଙ୍କାର ଖର୍ଚ୍ଚରେ ହାତକୁ ନିଆଯାଇଛି ।










