17.1 C
Bhubaneswar
Tuesday, February 3, 2026
Homeଓଡିଶାସମ୍ବିଧାନ ବଂଚାଇବା ନିମନ୍ତେ ରାଜ୍ୟର ପ୍ରତି ବ୍ଲକରେ ରାଜ୍ୟ କଂଗ୍ରେସ ଆନ୍ଦୋଳନ କରିବ: ଭକ୍ତ

ସମ୍ବିଧାନ ବଂଚାଇବା ନିମନ୍ତେ ରାଜ୍ୟର ପ୍ରତି ବ୍ଲକରେ ରାଜ୍ୟ କଂଗ୍ରେସ ଆନ୍ଦୋଳନ କରିବ: ଭକ୍ତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ପରିସରରେ ଭାରତ ଯୋଡ଼ ଅଭିଯାନ ପକ୍ଷରୁ ଭାରତୀୟ ସମ୍ବିଧାନର ୭୬ତମ ପ୍ରଣୟନ ଦିବସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀରେ ଯୋଗ ଦେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ନେତୃତ୍ୱ ତଥା ବିଶିଷ୍ଟ ସମାଜବାଦୀ ନେତା ଡ଼ ସୁନୀଲମ କହିଲେ ଯେ, ଭାରତୀୟ ସମ୍ବିଧାନ ଆମ ସ୍ବାଧୀନତା ଆନ୍ଦୋଳନର ଫଳଶୃତି। ମହାତ୍ମା ଗାନ୍ଧୀ, ବାବାସାହେବ ଭୀମରାଓ ଆମ୍ବେଦକର, ପଣ୍ଡିତ ଜବାହରଲାଲ ନେହେରୁ ଆଦି ରାଷ୍ଟ୍ରୀୟ ନେତୃମଣ୍ଡଳୀ ଦୀର୍ଘ ବର୍ଷର ସ୍ବାଧୀନତା ସଂଗ୍ରାମ କାଳରେ ଯେଉଁ ସବୁ ବିଷମତା ବିରୋଧରେ ଲଢୁଥିଲେ, ସେସବୁର ରକ୍ଷା ନିମିତ୍ତ ଆମ ସମ୍ବିଧାନ ନିଜକୁ ଉତ୍ତରଦାୟୀ କରି ପ୍ରଣୀତ ହୋଇଅଛି। ତେବେ ଦେଶରେ ରହିଥିବା ଫାଶୀବାଦୀ ନେତୃତ୍ୱ ଆମ ସମ୍ବିଧାନକୁ ବଦଳେଇ ଦେବା ନିମନ୍ତେ ଅହରହ ପ୍ରୟାସ ଜାରୀ ରଖିଛନ୍ତି। ପ୍ରଦେଶ କଂଗ୍ରେସ କିମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏହି ଅବସରରେ ଯୋଗ ଦେଇ କହିଲେ ଯେ, ଆମ ଓଡ଼ିଶାରେ ଜନସଂଖ୍ୟାର ଚୌରାନବେ ଭାଗ ହେଉଛନ୍ତି ଦଳିତ, ଆଦିବାସୀ ତଥା ପଛୁଆ ବର୍ଗର। ଭାରତୀୟ ସମ୍ବିଧାନରେ ଏସମସ୍ତ ଜନଗଣଙ୍କୁ ଅଧିକାର ମିଳିବା ନିମନ୍ତେ ବ୍ୟବସ୍ଥା ଥିଲେ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ଏହି ପଛୁଆ ବର୍ଗର ଅଧିକାର କ୍ଷୁଣ୍ଣ କରିବା ନିମନ୍ତେ ଗଳାବାଟ ଦେଇ ନୀତି ବଦଳାଇବାରେ ଲାଗିଛନ୍ତି। ରାଜ୍ୟ କଂଗ୍ରେସ ସମ୍ବିଧାନ ବଂଚାଇବା ନିମନ୍ତେ ରାଜ୍ୟର ପ୍ରତି ବ୍ଲକରେ ଆନ୍ଦୋଳନ କରିବ। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ, ସମ୍ବିଧାନ ପ୍ରଣୟନ ସଭାରେ ଯେତେବେଳେ ପ୍ରତି ମଣିଷକୁ ଅଧିକାର ଦେବା ନିମନ୍ତେ କଂଗ୍ରେସ ଚର୍ଚ୍ଚା ଆଲୋଚନା କରୁଥିଲା, ସେତେବେଳେ ହିନ୍ଦୁ ମହାସଭା ଓ ଆରଏସଏସ ଭଳି ସଂଗଠନମାନେ ଗଣତନ୍ତ୍ର, ସମ୍ବିଧାନ, ସର୍ଵଧର୍ମ ସମଭାବ ତଥା ଭାଇଚାରା ବିଚାରକୁ ବିରୋଧ କରି ସାଧାରଣ ଲୋକଙ୍କୁ ପୁଣି ଅନ୍ଧକାର ଗହ୍ୱର ଭିତରକୁ ଠେଲିଦେବାକୁ ପ୍ରୟାସ ଚଳାଇଥିଲା। ଭାରତ ଯୋଡ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ଡାକ୍ତର ବିଶ୍ୱଜିତଙ୍କ ସଂଯୋଜନାରେ ବରିଷ୍ଠ ସାମ୍ବାଦିକ ରବି ଦାଶ, ସିପିଆଇଏମର ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସର୍ବୋଦୟ ନେତା ସେକ ନାସିର ବକ୍ସ, ଜୟଦେବ ଜେନା, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅଜୟା ପାଶ୍ବାନ, ଶିବାନନ୍ଦ ରାୟ, ସୁଧାଂଶୁ ଶେଖର ଦେଓ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଯୁବ ଗାନ୍ଧିବାଦୀ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

https://www.youtube.com/watch?v=21Ao05eDsW4

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking