ଶ୍ରୀନଗର: ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ । ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ପରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ପ୍ରଥମ ଘଟଣାଟି ଶ୍ରୀନଗରର ଇକବାଲ ପାର୍କ ନିକଟରେ ଘଟିଥିଲା ଯେଉଁଠି ଆତଙ୍କବାଦୀମାନେ କାଶ୍ମୀର ପଣ୍ତିତ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତଥା ବିନ୍ଦ୍ରୋମେଡିକେଟର ମାଲିକ ମଖନ୍ ଲାଲ ବିନ୍ଦ୍ରୋଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ।
ଏଥି ସହ ଶ୍ରୀନଗର ଉପକଣ୍ଠରେ ଥିବା ହାୱାଲର ମଦିନ ସାହେବ ନିକଟରେ ଆଉ ଏକ ଘଟଣା ଘଟିଥିଲା, ଯେଉଁଥିରେ ଆତଙ୍କବାଦୀମାନେ ଏକ ରାସ୍ତାକଡ ଦୋକାନୀକୁ ଗୁଳି କରି ହତ୍ୟା କରିଥିଲେ। ତୃତୀୟ ଘଟଣାଟି ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳରେ ଘଟିଛି, ଯେଉଁଠି ଆତଙ୍କବାଦୀମାନଙ୍କ ଗୁଳିମାଡ କରି ମହମ୍ମଦ ଶଫିଙ୍କୁ ହତ୍ୟା କରିଥିଲେ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଏହି ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି । ଏହି ହିଂସାକାଣ୍ତ ଘଟିବା ପରେ ଶ୍ରୀନଗର ଓ ବାନ୍ଦିପୋରାକୁ ସମ୍ପୂର୍ଣ୍ଣ ଭାବେ କର୍ଡନ କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରାଯାଇଛି। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ମଙ୍ଗଳବାର ଶ୍ରୀନଗରରେ ଆତଙ୍କବାଦୀ ଘଟଣାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଛି।