18.1 C
Bhubaneswar
Tuesday, November 19, 2024
Homeଖେଳଦ୍ୱିତୀୟ ରାଉଣ୍ଡ୍‌ରେ ଶ୍ରୀକାନ୍ତ ଓ ପ୍ରଣୟ

ଦ୍ୱିତୀୟ ରାଉଣ୍ଡ୍‌ରେ ଶ୍ରୀକାନ୍ତ ଓ ପ୍ରଣୟ

ହୁଏଭା: ରବିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାରତର ପ୍ରମୁଖ ପୁରୁଷ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ଓ ଏଚ୍‌ଏସ୍ ପ୍ରଣୟ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । କିନ୍ତୁ ଅନ୍ୟତମ ପୁରୁଷ ପ୍ରତିଯୋଗୀ ବି. ସାଇ ପ୍ରଣୀତଙ୍କୁ ତାଙ୍କର ପ୍ରଥମ ରାଉଣ୍ଡ୍ ମୁକାବିଲାରୁ ହିଁ ବିଦାୟ ନେବାକୁ ପଡ଼ିଛି । ଶ୍ରୀକାନ୍ତ ସ୍ଥାନୀୟ ଖେଳାଳି ପାବଲୋ ଆବିୟାନ୍‌ଙ୍କୁ ୨୧-୧୨, ୨୧-୧୬ ସିଧାସଳଖ ଗେମ୍‌ରେ ଓ ପ୍ରଣୟ ହଂକଂର ଏନ୍‌ଜି କା ଲୋଙ୍ଗ୍ ଆଙ୍ଗସ୍‌ଙ୍କୁ ୧୩-୨୧, ୨୧-୧୮, ୨୧-୧୯ରେ ପରାସ୍ତ କରିଛନ୍ତି । ଅନ୍ୟପଟେ ସାଇ ପ୍ରଣୀତ ଯଦିଓ ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲେ, କିନ୍ତୁ ପରବର୍ତ୍ତୀ ଦୁଇଟି ଗେମ୍‌ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡଚ୍ ଖେଳାଳି ମାର୍କ କାଲଜୋଙ୍କଠାରୁ ହାରିଯାଇଛନ୍ତି । ସେ ୨୧-୧୭, ୭-୨୧, ୧୮-୨୧ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ହାର୍ଟ ସର୍ଜରୀ ପରେ କାଲଜୋ କୋର୍ଟକୁ ଫେରିଥିଲେ ହେଁ ତାଙ୍କର ପୂର୍ବ ପ୍ରଦର୍ଶନକୁ ଜାରି ରଖିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ଗତ ଅଗଷ୍ଟରେ ମଧ୍ୟ କାଲଜୋ ଟୋକିଓ ଅଲିମ୍ପିକ୍ସରେ ସାଇ ପ୍ରଣୀତଙ୍କୁ ହରାଇଥିଲେ । ଅନ୍ୟପକ୍ଷରେ ଏକତରଫା ମୁକାବିଲାଟିକୁ ଦ୍ୱାଦଶ ସିଡ୍ ଶ୍ରୀକାନ୍ତ ମାତ୍ର ୩୬ ମିନିଟ୍‌ରେ ଶେଷ କରିଥିଲେ । ସେ ତାଙ୍କର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ମଙ୍ଗଳବାର ଚୀନ୍‌ର ଲି ଶି ଫେଙ୍ଗ୍‌ଙ୍କୁ ଭେଟିବେ । ସେହିପରି ଅଣସିଡେଡ୍ ପ୍ରଣୟ ଅଷ୍ଟମ ସିଡ୍ ପ୍ରତିଦ୍ୱନ୍ଦ୍ୱୀ ଆଙ୍ଗସ୍‌ଙ୍କୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ।

ଦ୍ୱିତୀୟ ରାଉଣ୍ଡ୍‌ରେ ସେ ମାଲେସିଆର ଡାରେନ୍ ଲିଉଙ୍କୁ ଭେଟିବେ । ଏହାଛଡ଼ା ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ମନୁ ଅତ୍ରି-ବି. ସୁମିତ୍ ରେଡ୍ଡୀ ଡେନ୍‌ମାର୍କ ଯୋଡ଼ି ଜୋଏଲ୍ ଏଲ୍‌ପ-ରାସମସ୍ କେଜାର୍‌ଙ୍କଠାରୁ ୧୬-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ୍‌ଟି ୩୨ ମିନିଟ୍‌ରେ ଶେଷ ହୋଇଥିଲା । ଆହୁରି ରବିବାର ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ପୂଜା ଡାଣ୍ଡୁ-ସଞ୍ଜନା ସନ୍ତୋଷ ପ୍ରଥମ ଗେମ୍‌ରେ ୧୨-୨୧ରେ ହାରିବା ପରେ ଆଗକୁ ଖେଳ ଜାରି ରଖିପାରି ନ ଥିଲେ ।

ତେଣୁ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଡଚ୍ ଯୋଡ଼ି ଆଲିସା ଟିର୍ଟୋସେଣ୍ଟୋନୋ-ଇମକେ ଭାନ୍ ଡର୍ ଆର୍ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଭାରତର ପ୍ରମୁଖ ମହିଳା ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡ୍‌ରେ ବାଇ ପାଇବା ପରେ ମଙ୍ଗଳବାରଠାରୁ ତାଙ୍କର ଅଭିଯାନ ଆରମ୍ଭ କରିବେ । ସେ ଏହି ରାଉଣ୍ଡ୍‌ରେ ସ୍ଲୋଭାକିଆର ମାର୍ଟିନା ରେପିସ୍କାଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking