କଲମ୍ବୋ : ଦେଶରେ ଉପୁଜିଥିବା ରାଜନୈତିକ ଏବଂ ଅର୍ଥନୈତିକ ଝଡ଼ ଥମୁନଥିବାବେଳେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ବର୍ତ୍ତମାନ ହରଡଘଣାରେ ପଡିଛନ୍ତି । ଜନସାଧାରଣଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ, ସମସ୍ତେ ବର୍ତ୍ତମାନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥିତି ସମ୍ଭାଳିବାକୁ ରାଷ୍ଟ୍ରପତି ଗୁରୁବାର ତିନିଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏମାନଙ୍କ ମଧ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଶ୍ରୀଲଙ୍କାର ପୂର୍ବତନ ଗଭର୍ଣ୍ଣର ଡାଃ ଇନ୍ଦ୍ରଜିତ କୁମାରସ୍ୱାମୀ, ବିଶ୍ୱ ବ୍ୟାଙ୍କ୍ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ପ୍ରଫେସର ଶାନ୍ତା ଦେବରାଜନ୍ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍)ର ପୂର୍ବତନ ଉପନିର୍ଦ୍ଦେଶକ ଡଃ ଶର୍ମିନି କୁରେ ସାମିଲ ଅଛନ୍ତି । ଏମାନେ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ କିପରି ବାଟକୁ ଅଣାଯିବ, ସେ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବେ ବୋଲି କୁହାଯାଇଛି । ଇତିମଧ୍ୟରେ ନୂଆ ଅର୍ଥମନ୍ତ୍ରୀ ଅଲି ସାବ୍ରି ଦାୟିତ୍ୱ ନେବାର ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଦେଇସାରିଥିବାରୁ ଶ୍ରୀଲଙ୍କା ସରକାର ଏକପ୍ରକାର ବେସାହାରା ହୋଇପଡିଛନ୍ତି । ତାଙ୍କ ସ୍ଥାନରେ କାହାକୁ ଅର୍ଥମନ୍ତ୍ରୀ ନିଯୁକ୍ତ କରାଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।