18.1 C
Bhubaneswar
Thursday, February 12, 2026
Homeଓଡିଶାଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ରାଜ୍ୟପାଳ

ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ରାଜ୍ୟପାଳ

ଭୁବନେଶ୍ୱର: ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ବିଭିନ୍ନ ପ୍ରଦେଶରୁ ଆସିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, କ୍ରୀଡ଼ା ସଶକ୍ତିକରଣ ଏବଂ ଜାତୀୟ ଏକତାର ଶକ୍ତିଶାଳୀ ମାଧ୍ୟମ। ଏହା ଖେଳାଳୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଟିମ୍ ୱାର୍କ ଏବଂ ନିଷ୍ଠା ଶିକ୍ଷା ଦେବା ସହ ସେମାନଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଗଢ଼ିବା ସହିତ ଦେଶର ସୁନାଗରିକଭାବେ ଗଢିବାରେ ସହାୟକ ହୋଇଥାଏ। ଏକଲ ଖେଳକୁଦ ସମାରୋହ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଦେଶର ବିଭିନ୍ନ ପ୍ରାନ୍ତର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିଥାଏ ଏବଂ ଏହି ମଂଚ ମାଧ୍ୟମରେ ସେମାନେ ନିଜର ଦକ୍ଷତା ଓ କୌଶଳ ପ୍ରତିପାଦିତ କରିବା ସହ ସେମାନଙ୍କୁ ଜୀବନ ବ୍ୟାପୀ ମୈତ୍ରୀର ବନ୍ଧନରେ ବାନ୍ଧି ରଖେ।

ଦେଶର ଗ୍ରାମାଚଂଳ ଓ ଜନଜାତି ବର୍ଗଙ୍କର ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ ସହିତ ସେମାନଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତି ଜାଗ୍ରତ କରିବାରେ ଏକଲ ଅଭିଯାନର ନିରନ୍ତର ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏପରି କାର୍ଯ୍ୟକ୍ରମ କ୍ରୀଡ଼ାବିତ୍‌ମାନଙ୍କୁ ବଡ଼ ସ୍ୱପ୍ନ ଦେଖି ଉତ୍କର୍ଷ ହାସଲ କରିବା ନିମନ୍ତେ ଉତ୍ସାହିତ କରିବ ବୋଲି ରାଜ୍ୟପାଳ କହିଥିଲେ। ଏପରି କାର୍ଯ୍ୟକ୍ରମ ଦ୍ୱାରା ଦେଶର ଗ୍ରାମାଚଂଳ ଓ ଜନଜାତି ବର୍ଗର ଯୁବ ପ୍ରତିଭାମାନେ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିପାରିବେ ଏବଂ ଏହି ପଦକ୍ଷେପ ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀ ପ୍ରତିଧ୍ୱନିତ ହେବ।

ଭାଷଣ ପ୍ରସଙ୍ଗରେ ରାଜ୍ୟପାଳ କହିଥିଲେ ଯେ, ସରକାରଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା ଶକ୍ତିର ଉତ୍ସ ଭାବେ ଉଭା ହୋଇଛି, ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହିତ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଆୟୋଜନ କରିବା ସହିତ ବିଶ୍ୱସ୍ତରୀୟ ଆଥଲେଟ୍ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳୁଆଡ଼ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ରାଜ୍ୟପାଳ ଉତ୍ସାହିତ କରିଥିଲେ।

ଏହି ଏକଲ ଖେଳକୁଦ ସମାରୋହର ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ସର-କାର୍ଯ୍ୟବାହ ଆଲୋକ କୁମାର, ଏକଲ ଅଭିଯାନର ରାଷ୍ଟ୍ରୀୟ ସଂଗଠନର ପ୍ରଭାରୀ ମାଧବେନ୍ଦ୍ର ସିଂହ, ଅଭ୍ୟୁଦୋୟ ୟୁଥ୍ କ୍ଲବର ଉପାଧ୍ୟକ୍ଷ ଅମର କୃଷ୍ଣ, ବନବନ୍ଧୁ ପରିଷଦର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଭୋରା ପମୁଖ ବକ୍ତବ୍ୟ ପ୍ରଦାନ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ନିଷ୍ଠା, ଚେଷ୍ଟା ଓ ଅଧ୍ୟବସାୟ ବଳରେ ସଫଳତାର ଶୀର୍ଷକ ସାଜିବାକୁ ଆହ୍ୱାନ ଜଣାଇଥିଲେ। ମାର୍ଗଦର୍ଶକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜ ତ୍ରିଦିବସୀୟ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ। ପ୍ରାରମ୍ଭରେ ଆୟୋଜକ କମିଟିର ପ୍ରିୟ ରଂଜନ ଚୌଧୁରୀ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜାତୀୟ ଖେଳକୁଦ ସମାରୋହର ସଂଯୋଜକ ଅଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking