ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଅଗଷ୍ଟ ୧୬ରୁ ୩୦ତାରିଖ ମଧ୍ୟରେ ରାଜପଥରେ ବାଇକ ଚାଳକଙ୍କ ଲାଗି ସ୍ୱତନ୍ତ୍ର ଡ୍ରାଇଭ ଅନୁଷ୍ଠିତ ହୋଇଛି । ଏଥିରେ ଜାତୀୟ ଏବଂ ରାଜ୍ୟ ରାଜପଥରେ ବିନା ହେଲମେଟରେ ଡ୍ରାଇଭିଂ ପାଇଁ ମୋଟ ୨୪୪୭୪ ଇ-ଚାଲାଣ ଜାରି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ ୮୮୮ ଟି ଗାଡି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ୬୩, ୯୮,୧୧୬ ଟଙ୍କା ଜୋରିମାନା ସଂଗ୍ରହ ହୋଇଛି । ସେହିପରି ହେଲମେଟ ବିନା ଦୁଇ ଚକିଆ ଯାନ ଚଲାଇବା ପାଇଁ ୧୨୫୪୫ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି । ତେବେ ଲାଲମୋହନ ସେଠୀ ଅତିରିକ୍ତ କମିଶନର ପରିବହନ, ଏନଫୋର୍ସମେଣ୍ଟ ଏବଂ ସଡକ ସୁରକ୍ଷା କହିଛନ୍ତି ଯେ, ଏହି ଡ୍ରାଇଭର ମୂଳ ଉଦ୍ଦେଶ୍ୟ ହେଉଛି ଚାଳକ ମାନଙ୍କ ମଧ୍ୟରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ରୋକିବା ପାଇଁ ଦାୟୀତ୍ୱବୋଧତା ସୃଷ୍ଟି କରିବା ।
କ୍ରମାଗତ ଟ୍ରାଫିକ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ଯୋଗୁଁ ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ରାଜପଥରେ ହେଲମେଟ ପିନ୍ଧିବା ଠାରୁ ଦୂରେଇ ରହୁଛନ୍ତି ଯେଉଁଠାରେ ସୁରକ୍ଷା ଅଧିକ ଆବଶ୍ୟକ । ୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ଚାଳକ (୮୬୮) ଏବଂ ପିଲିଅନ୍ ଆରୋହୀ (୪୪୦) ଙ୍କ ସମେତ ମୋଟ ୧୩୦୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିଲେ । ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ । ସେପ୍ଟେମ୍ବର ମାସରେ ଟ୍ରାଫିକ ଏନଫୋର୍ସମେଣ୍ଟ ଡ୍ରାଇଭଗୁଡ଼ିକର ଆହୁରି ବୃଦ୍ଧି ପାଇବ । ଟ୍ରାଫିକ୍ ଉଲ୍ଲଂଘନ ଓ ଏବଂ ମୋଟର ଯାନ ନିୟମ ଭାଙ୍ଗିବା ପାଇଁ ଶୂନ୍ୟ ସହନଶୀଳତା ରହିବ । ଏନଫୋର୍ସମେଣ୍ଟ ଡ୍ରାଇଭରେ ମଦ୍ୟପ ଡ୍ରାଇଭିଂ, ହେଲମେଟ ଯାଞ୍ଚ, ସ୍କୁଲ ବସ୍ ଏବଂ ଯାନଗୁଡ଼ିକର ଓଭରଲୋଡିଂ ସହିତ ଯାନର ଫିଟନେସ୍ ଅନ୍ତର୍ଭୁକ୍ତ ହେବ । ଡ୍ରାଇଭ ଗୁଡ଼ିକ ମାସ ସାରା ନିୟମିତ ବ୍ୟବଧାନରେ ହେବ ।