ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତକୁ ନେଇ ଶ୍ରୀମନ୍ଦିର ନୀତିସେବା କମିଟି ଓ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୩ଟା ୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ । ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ରପତି ସପରିବାର ଶ୍ରୀମନ୍ଦିର ମଧ୍ୟକୁ ଯାଇ ଗର୍ଭଗୃହ ଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ୫ଟା ୪୫ ଯାଏଁ ସେଠାରେ ରହିବେ ।
ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ୍ ସମୟ ଅତିବାହିତ କରିବେ । ଏଥିନିମନ୍ତେ ଶ୍ରୀମନ୍ଦିରରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଛତିଶା ନିଯୋଗ ନାୟକ ଓ ପୈତୃକ ପଣ୍ଡା ପାଛୋଟି ନେବେ । ରାଷ୍ଟ୍ରପତିଙ୍କ ଗସ୍ତ ଦିନ ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।
୨୦ ତାରିଖ ପୂର୍ବାହ୍ନ ୧୦ଟା ୩୫ରେ ଶ୍ରୀଚୈତନ୍ୟ ଗୌଡୀୟ ମଠରେ ପହଞ୍ôଚ ରାଷ୍ଟ୍ରପତି ମଠ ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କେବଳ ୪୦ ଜଣ ଆଚାର୍ଯ୍ୟ ମଠରେ ଉପସ୍ଥିତ ରହିବେ । ଏହାପରେ ରାଷ୍ଟ୍ରପତି ଶ୍ରୀଚୈତନ୍ୟ ଗୌଡୀୟ ମଠରୁ ବାହାରି ପୂର୍ବାହ୍ନ ୧୧ଟା ସମୟରେ ଶରଧାବାଲି ଠାରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜାଙ୍କର ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, କୌଳିକ ପଣ୍ଡା ଓ ସେବାୟତମାନଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।