କୋଲ୍କାତ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏବଂ ଟିମ୍ ଇଣ୍ଡିଆ ପୂର୍ବତନ କ୍ୟାପ୍ଟେନ୍ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି ପାଇଛି । ଏବେ ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ‘ଜେଡ୍’ ଶ୍ରେଣୀର ସୁରକ୍ଷା ମିଳିବ । ଅର୍ଥାତ୍ ଯାତାୟାତ ବେଳେ ତାଙ୍କ ସହିତ ପ୍ରତ୍ୟେକ ସମୟରେ ଏକ ଏସ୍କର୍ଟ କାର୍ ରହିବ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ‘ୱାଇ’ ଶ୍ରେଣୀର ସୁରକ୍ଷା ପ୍ରାପ୍ତ ଥିଲା । ଅବଶ୍ୟ ସୁରକ୍ଷା ବୃଦ୍ଧି ପାଇଁ ଗାଙ୍ଗୁଲିଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇ ନଥିଲା ।
ସରକାର ସ୍ୱୟଂ ନିଜ ସ୍ତରରେ ଏହି ପଦକ୍ଷେପ ନେଇଛନ୍ତି । ତେବେ ସୁରକ୍ଷା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇ ନାହିଁ । ଫଳରେ ବେଙ୍ଗଲ ସରକାରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ବୃଦ୍ଧିକୁ ରାଜନୈତିକ ଦୃଷ୍ଟିରେ ଦେଖିବା ଆରମ୍ଭ ହୋଇଛି ।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସୌରଭ ଗାଙ୍ଗୁଲି ବିଜେପିରେ ଯୋଗଦେବା ଚର୍ଚ୍ଚା ହୋଇଥିଲା । ଅବଶ୍ୟ ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବା ନେଇ ଗାଙ୍ଗୁଲିଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇ ନାହିଁ । ପରେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ କେନ୍ଦ୍ର ସରକାର ଓ ବିଜେପି ନେତାଙ୍କ ସହ ତାଙ୍କ ସମ୍ପର୍କ ଖରାପ ହୋଇଛି । ସୌରଭଙ୍କୁ ବିସିସିଆଇ ସଭାପତି ପଦରୁ ହଟିବାକୁ ମଧ୍ୟ ପଡ଼ିଛି ।