ନୂଆଦିଲ୍ଲୀ: ପୁଅର ମୃତ୍ୟୁକୁ ସହି ନପାରି ଜୀବନ ହାରିବା ଭଳି ପଦକ୍ଷେପ ନେବାକୁ ପଛାଇଲେନି ବାପା, ମା’ ଏବଂ ଝିଅ । କୂଅକୁ ଡେଇଁ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ରାଜସ୍ଥାନର ପାଲି ଜିଲ୍ଲାର ରୋହତ ପୋଲିସ ଷ୍ଟେସନ ପରିସରରେ ଏଭଳି ମାମଲା ଘଟିଛି । ପୁଅର ମୃତ୍ୟୁରେ ନିଜକୁ ସମ୍ଭାଳି ନପାରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଝିଅ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସାଞ୍ଜୀ ଗାଁର ବାସିନ୍ଦା ୩୦ ବର୍ଷିୟ ଭଲାରାମ ମେଘୱାଲ, ତାଙ୍କ ୨୬ ବର୍ଷିୟ ପତ୍ନୀ ମୀରା ଏବଂ ୪ ବର୍ଷିୟ ଝିଅ ନିକିତା କୂଅକୁ ଡେଇଁ ଜୀବନ ହାରିଛନ୍ତି । ଥାନା ଅଧିକାରୀ ଉଦୟ ସିଂ ଙ୍କ ସୂଚନା ଅନୁସାରେ ୩ ବର୍ଷିୟ ପୁଅ ଭୀମରାମର ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ବୁଧବାର ସକାଳେ ତାର ବାପା ତାକୁ ରୋହତ ଡାକ୍ତରଖାନାକୁ ନେଇ ଯାଇଥିଲେ । କିନ୍ତୁ ରାସ୍ତାରେ ପୁଅ ଭୀମରାମର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାର ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ଯୋଗୁଁ ପରିବାର ଲୋକେ ଭାରସାମ୍ୟ ହରାଇଥିଲେ । ଏବଂ ଶେଷରେ ଭୀମରାମର ମୃତଦେହ ସହିତ ସାଞ୍ଜୀ ଗାଁ ନିକଟ ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଥାନା ଅଧିକାରୀ କହିଛନ୍ତି ଯେ ଉଦ୍ଧାର ହୋଇଥିବା ଏକ ଚିଠିରେ ମୃତ ଭଲାରାମ ଅସୁସ୍ଥତା କାରଣରୁ ପୁଅର ମୃତ୍ୟୁକୁ ନେଇ ଦୁଃଖରେ ଏଭଳି ପଦକ୍ଷେପ ନେଇଥିବା ଲେଖିଛନ୍ତି । ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଚାରିଟି ମୃତଦେହର ପୋଷ୍ଟମର୍ଟମ କରାଯାଉଛି । ସିଆରପିସି ଧାରା ୧୭୪ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଛି ।