ମୁମ୍ବାଇ: ବଲିଉଡ୍ର ନାମୀ ଅଭିନେତା ଅନୀଲ୍ କପୁରଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁର୍ଙ୍କ ଶ୍ୱଶୁର ହରିଶ୍ ଆହୁଜାଙ୍କ କମ୍ପାନୀ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ସାଇବର୍ ଲୁଟେରା । ଫରିଦାବାଦ୍ ସ୍ଥିତ ହରିଶ୍ଙ୍କ କମ୍ପାନୀ ସାହି ଏକ୍ସପର୍ଟ ନାମକ କମ୍ପାନୀରୁ ସାଇବର୍ ଲୁଟେରାମାନେ ଡିଜିଟାଲ୍ ଦସ୍ତଖତ ହ୍ୟାକ୍ କରି ୨୭.୬୧ କୋଟି ଟଙ୍କା ଲୁଟ୍ କରିଛନ୍ତି । ଅଭିଯୋଗ ପରେ ସାଇବର ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ ଜଡ଼ିତ ସମସ୍ତ ଲୁଟେରାଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଦେଶର ପ୍ରାୟ ୧୫ ଟି ବଡ଼ ବଡ଼ କମ୍ପାନୀ ଏହି ସାଇବର୍ ଲୁଟ୍ର ଶିକାର ହୋଇଛନ୍ତି । ସମାନ ଡିଜିଟାଲ୍ ଦସ୍ତଖତ ହ୍ୟାକ୍ ଢଙ୍ଗରେ ଲୁଟେରାମାନେ ଏହି ୧୫ଟି କମ୍ପାନୀରୁ ଲୁଟ୍ କରିଛନ୍ତି । ସାଇବର୍ ଥାନା ପ୍ରଭାରୀ ବସନ୍ତ କହିଛନ୍ତି ଯେ, ହରିଶ୍ଙ୍କ କମ୍ପାନୀ ଲୁଟ୍ରେ ଜଡ଼ିତ ସମସ୍ତ ଅଭିଯୁକ୍ତ ଗିରଫ ହୋଇ ସାରିଥିଲେ ମଧ୍ୟ ତଦନ୍ତ ଏଯାବତ୍ ଜାରି ରହିଛି । ତେବେ ଗିରଫ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସନ୍ତୋଷ ନାମକ ଜଣେ ଯୁବକଙ୍କ ବୟାନ ଆଧାରରେ ପୁଲିସ୍ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଛି । ପୁଲିସ୍ କହିବାନୁସାରେ ସନ୍ତୋଷ ଛୋଟା ସକିଲ୍ ଅଣ୍ଡରୱାର୍ଲ୍ଡ ଡନ୍ ପାଖରେ ପୂର୍ବରୁ ସାର୍ପ ସୁଟର୍ ରୂପେ କାମ କରୁଥିଲା । ସନ୍ତୋଷକୁ ଧରିବା ପାଇଁ ମହାରାଷ୍ଟ୍ର ପୁଲିସ୍ ବିଭିନ୍ନ କୌଶଳ ଆପଣାଇଥିଲେ ମଧ୍ୟ ଧରିବାରେ ସଫଳ ହୋଇପାରି ନଥିଲା । ଏବେ ତାକୁ ଗିରଫ କରାଯିବା ପରେ ତା’ ବୟାନ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।