ସୁଧୀର-ସୁଖବିନ୍ଦର ୧୦ ଦିନିଆ ପୁଲିସ ହାଜତରେ
ନୂଆଦିଲ୍ଲୀ : ଟିକ୍ଟାକ୍ ଷ୍ଟାର୍ ଏବଂ ବିଜେପି ନେତ୍ରୀ ସୋନାଲି ଫୋଗଟ୍ ମୃତ୍ୟୁ ମାମଲାରେ ଶନିବାର ଗୋଆ ପୁଲିସ ଶନିବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ପୁଲିସ୍ କର୍ଲି କ୍ଲବ୍ ମାଲିକ ଏବଂ ଜଣେ ଡ୍ରଗ୍ସ ପ୍ୟାଡ୍ଲର୍ଙ୍କୁ ଗିରଫ କରିଛି । ଅଞ୍ଜୁନା ଥାନାରେ ଜେରା ବେଳେ ଡ୍ରଗ୍ସ ପ୍ୟାଡ୍ଲର୍ ଦତ୍ତାପ୍ରସାଦ ଗାଓଁକର୍ ଦୁଇ ଅଭିଯୁକ୍ତ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍ ଏବଂ ସୁଖୱିନ୍ଦର ସିଂହଙ୍କୁ ଡ୍ରଗ୍ସ ଯୋଗାଇଥିବା ସ୍ୱୀକାର କରିଛି । ସେହିପରି ପୂର୍ବରୁ ଗିରଫ ସୁଧୀର ଓ ବଲୱିନ୍ଦରଙ୍କୁ ଶନିବାର ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ କୋର୍ଟ ସେମାନଙ୍କୁ ୧୦ ଦିନ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ଏହାପରେ ସେମାନଙ୍କର ମେଡିକାଲ୍ ଚେକ୍ଅପ୍ କରାଯାଇଥିଲା ।
ସୂତ୍ର ଅନୁସାରେ ଗୋଆ ଯିବା ପୂର୍ବରୁ ସୋନାଲି ଏବଂ ତାଙ୍କ ଦୁଇ ସହଯୋଗୀ ଗୁରୁଗାଓଁ ଗ୍ରୀନ୍ସ ସେକ୍ଟର ୧୦୨ରେ ଥିବା ଏକ ଆପାର୍ଟମେଣ୍ଟ୍ର ଫ୍ଲାଟ୍ରୁ ଏକ କ୍ୟାବ୍ ଯୋଗେ ଏୟାରପୋର୍ଟ ଯାଇଥିବା ଜଣାପଡ଼ିଛି । ଏହି ଆପାର୍ଟମେଣ୍ଟ୍ର ରେଣ୍ଟ୍ ଡକ୍ୟୁମେଣ୍ଟ୍ରେ ସୋନାଲିଙ୍କୁ ସୁଧୀର ସାଙ୍ଗୱାନ୍ର ପତ୍ନୀ ଭାବେ ଦର୍ଶାଯାଇଛି । ମାମଲାର ତଦନ୍ତ କରୁଥିବା ଗୋଆ ପୁଲିସ ଶୁକ୍ରବାର କହିଥିଲା, ସୋନାଲିଙ୍କୁ ଡ୍ରଗ୍ସ ଦିଆଯାଇଛି । ପୁଲିସ ଜବତ କରିଥିବା କ୍ଲବ୍ର ସିସିଟିଭି ଫୁଟେଜ୍ରେ ସୋନାଲିଙ୍କୁ ସୁଧୀର ଜବରଦସ୍ତ ଏକ ବୋତଲରୁ କିଛି ପିଆଉଥିବା ଏବଂ ଏହାପରେ ଭାରସାମ୍ୟ ହରାଇଥିବା ସୋନାଲିଙ୍କୁ ଧରି ୱାଶ୍ରୁମ୍କୁ ନେଉଥିବା ଦେଖିବାକୁ ମିଳିଥିଲା ।
ତେବେ ଏହି ଅପରାଧ ପଛରେ ଥିବା ଉଦ୍ଦେଶ୍ୟ ଏବେ ବି ଅସ୍ପଷ୍ଟ ରହିଛି । ଏହାର କାରଣ ଆର୍ଥିକ ଲାଭ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ସୋନାଲି ନିଜର ଦୁଇ ସହଯୋଗୀଙ୍କ ସହ ଅଗଷ୍ଟ ୨୨ରେ ଗୋଆରେ ପହଞ୍ଚି ଅଞ୍ଜୁନାର ଏକ ହୋଟେଲ୍ରେ ଅବସ୍ଥାନ କରିଥିଲେ । ପରଦିନ ତାଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ୍ ନିଆଯାଇଥିଲା ଏବଂ ଡାକ୍ତର ହୃଦ୍ଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରିଥିଲେ । ମାତ୍ର ପୋଷ୍ଟମର୍ଟମ ରିପୋର୍ଟରୁ ସୋନାଲିଙ୍କ ଶରୀରରେ ବିଭିନ୍ନ କ୍ଷତଚିହ୍ନ ଥିବା ଜଣାପଡ଼ିବା ପରେ ଏହାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରାଯାଇଥିଲା । ଅନ୍ୟପକ୍ଷରେ ସୋନାଲିଙ୍କ ପରିବାର ପକ୍ଷରୁ ଏହି ମାମଲାକୁ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ସହିତ ତୁଳନା କରାଯାଇଛି ।