ମୁମ୍ବାଇ: ନ୍ୟାସନାଲ କଂଗ୍ରେସ ପାର୍ଟି (ଏନ୍ସିପି) ଉପରେ ବାସ୍ତବିକ ଅଧିକାର କାହାର? ଏଭଳି ଏକ ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜାରି ରହିଥିବା ବେଳେ ମଙ୍ଗଳବାର କେନ୍ଦ୍ର ନିର୍ବାଚନ ଆୟୋଗ ଏସମ୍ପର୍କରେ ନିଜ ରାୟ ଶୁଣାଇଛନ୍ତି । ଦଳର ସମ୍ବିଧାନରେ ବର୍ଣ୍ଣିତ ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଏବଂ ଉଭୟ ସାଂଗଠନିକ ତଥା ବିଧାନସଭାର ସଂଖ୍ୟା ଗରିଷ୍ଠତାର ମୂଲ୍ୟାଙ୍କନ କରିବା ପରେ ନିର୍ବାଚନ ଆୟୋଗ ଏନ୍ସିପି ଉପରେ ଅଜିତ୍ ପାୱାରଙ୍କ ଅଧିକାରକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅଜିତ୍ଙ୍କ ଗୋଷ୍ଠୀ ହିଁ ଅସଲି ଏନ୍ସିପି ବୋଲି ନିର୍ବାଚନ ଆୟୋଗ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷେ ଏନ୍ସିପିର ସଂସ୍ଥାପକ ଶରତ ପାୱାରଙ୍କୁ ନିଜର ଅନ୍ୟ ଏକ ନୂଆ ଦଳ ଗଠନ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବୁଧବାର ସୁଦ୍ଧା ୩ଟି ନାମ ଏବଂ ନିର୍ବାଚନୀ ଚିହ୍ନ ପ୍ରସ୍ତାବିିତ କରିବାକୁ ନିର୍ବାଚନ ଆୟୋଗ ଶରତ ପାୱାରଙ୍କୁ କହିଛନ୍ତି ।
ପ୍ରକାଶ, ଅଜିତ୍ ପାୱାର, ଶରତ ପାୱାରଙ୍କ ନିଜ ପୁତୁରା । କିନ୍ତୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ବଢ଼ିବା ପରେ ଅଜିତ୍ ପାୱାର ହଠାତ୍ ଶରତ ପାୱାରଙ୍କ ଠାରୁ ଦୂରେଇ ଯାଇଥିଲେ । ଅଜିତ୍ଙ୍କ ସମର୍ଥକ ଗୋଷ୍ଠୀ ମଧ୍ୟ ତାଙ୍କ ସହ ଶରତଙ୍କ କ୍ୟାମ୍ପରୁ ଦୂରେଇ ଯାଇଥିଲେ । ପରେ ଅଜିତ୍, ଏନ୍ସିପି ଉପରେ ଏକଚାଟିଆ ଅଧିକାର ଦାବି କରିଥିଲେ । ସେବେଠାରୁ ଉଭୟ ଶରତ ପାୱାର ଏବଂ ଅଜିତ୍ ପାୱାର୍ଙ୍କ ମଧ୍ୟରେ ଦଳ ଏବଂ ଏହାର ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ପରେ ଏହି ମାମଲା ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲା । ଏହା ଉପରେ ଶୁଣାଣି କରି ନିର୍ବାଚନ ଆୟୋଗ ଉପରୋକ୍ତ ରାୟ ଦେଇଛନ୍ତି । ସବୁ ପ୍ରମାଣ ଏବଂ ଏନ୍ସିପିର ନୀତି ତଥା ନିୟାମକ-୧୯୬୮ ଅନ୍ତର୍ଗତ ଏହି ରାୟ ଦିଆଯାଇଥିବା ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ଫଳରେ ଅଜିତ୍ ପାୱାରଙ୍କ ଗୋଷ୍ଠୀକୁ ଏନ୍ସିପିର ମୂଳ ନିର୍ବାଚନୀ ସଙ୍କେତ ‘ଟେବୁଲ୍ ଘଣ୍ଟା’ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ଏହାର ଅର୍ଥ ଆଗାମୀ ଦିନରେ ଅଜିତ୍ ପାୱାର ଏନ୍ସିପି ନାମ ସହ ଘଣ୍ଟା ଚିହ୍ନର ବ୍ୟବହାର କରିପାରିବେ ।
ଅନ୍ୟପକ୍ଷେ ଶରତ ପାୱାର ନିର୍ବାଚନ ଆୟୋଗଙ୍କ ଏହି ରାୟ ସମ୍ପର୍କରେ କୌଣସି ମତାମତ ଦେଇନଥିଲେ ମଧ୍ୟ ତାଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ବରିଷ୍ଠ ନେତା ଅନୀଲ ଦେଶମୁଖ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଛନ୍ତି । ପ୍ରକାଶ, ଏନ୍ସିପିର ମୋଟ୍ ୫୩ ବିଧାୟକଙ୍କ ମଧ୍ୟରୁ ବର୍ତ୍ତମାନ ସମୟରେ ଅଜିତ୍ ପାୱାରଙ୍କ ସପକ୍ଷରେ ୪୧ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ଶରଦ ପାୱାରଙ୍କ ପାଖରେ ମାତ୍ର ୧୨ ବିଧାୟକଙ୍କ ସମର୍ଥନ ରହିଛି । ୬ ମାସ ଧରି ଏହି ବିବାଦ ଉପରେ ପ୍ରାୟ ୧୦ଥରରୁ ଅଧିକ ଥର ଶୁଣାଣି ହୋଇସାରିଛି । କିନ୍ତୁ ଆଜି ନିର୍ବାଚନ ଆୟୋଗ ନିଜ ଚୂଡାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରକାଶ, ଉଦ୍ଧବ ଠାକ୍ରେ ଏବଂ ଏକନାଥ ଶିନ୍ଦେଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ।