17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶମୋବାଇଲ ବ୍ୟବହାର ପାଇଁ ବାପା ଆକଟ କରିବାରୁ ଜୀବନ ହାରିଲା ପୁଅ

ମୋବାଇଲ ବ୍ୟବହାର ପାଇଁ ବାପା ଆକଟ କରିବାରୁ ଜୀବନ ହାରିଲା ପୁଅ

ପାଟନା: ମୋବାଇଲ ଦେବାକୁ ବାରଣ କରିବାରୁ ଜୀବନ ହାରିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ବାଙ୍କା ସ୍ଥିତ ନଗରଡିହ ଗାଁରେ। ବାପା ମୋବାଇଲ ଫୋନର ମାତ୍ରାଧିକ ବ୍ୟବହାର ପାଇଁ ଆକଟ କରିବାରୁ ପୁଅ ଜୀବନ ହାରିଥିବା ଜଣାପଡିଛି । ମୃତ ଯୁବକ ହେଲେ ଧ୍ରୁବ ନାରାୟଣ ଯାଦବଙ୍କ ପୁଅ ସୋନୁ କୁମାର । ସୋନୁଙ୍କ ବୟସ ୧୯ ବର୍ଷ ହୋଇଥିବା ଜଣାପଡିଛି । ତେବେ ସୋନୁଙ୍କ ବାପାଙ୍କ କହିବା କଥା ହେଉଛି, ସୋନୁ ଦିନ ତମାମ ଫୋନରେ ଲାଗି ରହୁଥିଲେ । ଏହାସହ ଫୋନ ଯୋଗେ ଦୀର୍ଘ ସମୟ ଧରି ବାର୍ତ୍ତାଳାପ ମଧ୍ୟ କରୁଥିଲେ । ଯାହାକୁ ନେଇ ଧ୍ରୁବ ବିରକ୍ତି ପ୍ରକାଶ କରିବା ସହିତ ସୋନୁଙ୍କୁ ମୋବାଇଲ ଫୋନ ଅଧିକ ବ୍ୟବହାର ନକରିବାକୁ ତାଗିଦ କରିଥିଲେ ।

ଯାହାକୁ ନେଇ ସୋନୁ ନିରାଶ ହେବା ସହିତ ନିଜ ଗାଁର କେତେକ ସାଙ୍ଗ ମାନଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ସୋନୁଙ୍କ ମାନସିକ ସ୍ଥିତି ଠିକ ନଥିବାବେଳେ ସେ ଜୀବନ ହାରିଦେବେ ବୋଲି ମଧ୍ୟ ପ୍ରକାଶ କରିଥିବା ସାଙ୍ଗମାନେ କହିଛନ୍ତି । ସେହି ସମୟରେ ସାଙ୍ଗମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ବାପାଙ୍କ ଗାଳିରେ ନିରାଶ ହୋଇ ଘର ଛାଡି ଚାଲିଯାଇଥିଲେ ସୋନୁ । ପୁଅକୁ ନପାଇବା ପରେ ପରିବାରଲୋକେ ଚାରିଆଡ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଗିଚାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେଠାରେ ଥିବା ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି । ସେପଟେ କାନ୍ଦ ବୋବାଳିରେ ଫାଟି ପଡିଛି ପୁରା ପରିବେଶ । ପୁ୍‌ଅକୁ ହରାଇବା ପରେ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅପରପକ୍ଷେ ଏହି ଘଟଣା କିଛି ନୁହେଁ, ଦେଶର କୋଣ ଅନୁକୋଣରୁ ଏହିଭଳି ଅନେକ ଘଟଣା ସାମନାକୁ ଆସୁଛି । ମୋବାଇଲ ଫୋନର ମାତ୍ରାଧିକ ବ୍ୟବହାର ଯୋଗୁ ଯୁବପୀଢି ବିପଦ ମୁହଁକୁ ଟାଣି ହୋଇଯାଉଛନ୍ତି । କେତେବେଳେ ମୋବାଇଲ ଗେମ୍ ଯୋଗୁ ଚାପଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି ତ ଆଉ କେତେବେଳେ ମୋବାଇଲ ଦେବାକୁ ପରିବାରଲୋକେ ଆକଟ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପିଲାମାନେ । ଏସବୁକୁ ଦୃଷ୍ଟିରେ ରଖି ଯୁବବର୍ଗ ସଚେତନ ହେବାର ଆବଶ୍ୟକତା ଥିବାବେଳେ ସେମାନଙ୍କ ମାନସିକ ସ୍ଥିତି ସୁଦୃଢ କରିବା ପାଇଁ ସାଇକୋ କାଉନସିଲିଂର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking